ସମଗ୍ର ବିଶ୍ୱରେ ଏପରି ଅନେକ ଅଜବ ଘଟଣା ଘଟୁଛି, ଯେଉଁଥିରୁ ଆପଣମାନେ ବିଲକୁଲ ଅଜ୍ଞାତ ଅଛନ୍ତି । ହେଲେ ସେସବୁ ଜାଣିଲେ ବି ବିଶ୍ଵାସ କରିବା କଷ୍ଟ ମାଲୁମ ହୁଏ । ଆଜ୍ଞା ହଁ, ଦୁନିଆରେ ଏମିତି ଏକ ଗାଁ ଅଛି ଯେଉଁଠାରେ ଗତ ୧୦ ବର୍ଷ ଧରି କୌଣସି ପୁଅ ଜନ୍ମ ହୋଇ ନାହିଁ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ।
“ଦ ନ୍ୟୁୟର୍କ ଟାଇମ୍ସ” ଅନୁଯାୟୀ, ଗତ ଦଶନ୍ଧି ଧରି ପୋଲାଣ୍ଡର ମିଜେସ୍ ଓଡ୍ରଜାନସ୍କି ଗାଁରେ କୌଣସି ବାଳକ ଜନ୍ମ ନହେବା ସମସ୍ତଙ୍କୁ ଚକିତ କରିଛି । ଏହି କାରଣରୁ ସେଠାକାର ମେୟର ଘୋଷଣା କରିଛନ୍ତି ଯେ ଯଦି କାହାର ଘରେ ପୁଅ ଜନ୍ମ ହୁଏ ତେବେ ତାଙ୍କୁ ପୁରସ୍କାର ଦିଆଯିବ । ଏହି ଗାଁ ବିଷୟରେ ଜାଣିବା ପରେ ବୈଜ୍ଞାନିକମାନେ ଏହି ସ୍ଥାନର ଯାଞ୍ଚ କରିବାକୁ ଚାହୁଁଛନ୍ତି । କେବଳ ଏତିକି ନୁହେଁ, ସାମ୍ବାଦିକ ଏବଂ ଟେଲିଭିଜନ ଲୋକମାନେ ଏହି ପୋଲାଣ୍ଡ ଗାଁର ସ୍ୱତନ୍ତ୍ର ଜନସଂଖ୍ୟା ବିଷୟରେ ଉତ୍ତର ଖୋଜୁଛନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଗାଁରେ ପ୍ରାୟ ୩୦୦ ଲୋକ ଅଛନ୍ତି । ପୋଲାଣ୍ଡର ଗଣମାଧ୍ୟମରେ ଏହି ଗାଁ ବିଷୟରେ ସେବେ ଜଣାପଡ଼ିଲା ଯେତେବେଳେ ଅଗ୍ନିଶମ ବିଭାଗର ଯୁବ ସ୍ୱେଚ୍ଛାସେବୀ ପାଇଁ ଏକ ଆଞ୍ଚଳିକ ପ୍ରତିଯୋଗିତା ସମୟରେ ବାଳିକାଙ୍କ ଟିମ୍ ଆସି ସେଠାରେ ପହଞ୍ଚିଥିଲା ।
ଏହାପରେ ମେୟର ଖ୍ରୀଷ୍ଟିନା ଜିଡଜିଆକ୍ କହିଛନ୍ତି ଯେ ‘ମିଜେସେ ଓଡ୍ରଜାନସ୍କି ଗାଁର ଅବସ୍ଥା ଟିକେ ସ୍ୱତନ୍ତ୍ର ଏବଂ ଅଦ୍ଭୁତ । ସିସେକ ସମ୍ପ୍ରଦାୟର ମେୟର ରାଜମୁଣ୍ଡ ଫ୍ରିସ୍କୋ କହିଛନ୍ତି ଯେ ଏଠାରେ କେବଳ ଝିଅମାନେ କାହିଁକି ଜନ୍ମ ହୁଅନ୍ତି ତାହା ଅନୁସନ୍ଧାନ କରିବାକୁ କିଛି ବୈଜ୍ଞାନିକ ବି ଆଗ୍ରହ ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ ଏହି ଗାଁରେ ପୁଅ ଜନ୍ମ କିପରି ହେବ ସେନେଇ ବିଶ୍ଵର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞ ତଥା ଡାକ୍ତରମାନଙ୍କୁ ଆହ୍ୱାନ କରାଯାଇଛି ।