ଗୋଟିଏ ପଟେ କରୋନା ମହାମାରୀ କାରଣରୁ ସାରା ଦୁନିଆରେ ଅର୍ଥନୈତିକ ସ୍ଥିତି ଦୋହଲି ଯାଇଥିଲାବେଳେ ଅନ୍ୟପକ୍ଷରେ ଅନେକ ଲୋକ ବେରୋଜଗାର ହୋଇଗଲେ । କ୍ରମାଗତ ଲକଡାଉନ ଓ ଯାବତୀୟ କଟକଣା ଯୋଗୁ ଅନେକ ଲୋକଙ୍କ ମନୋବଳ ଭାଙ୍ଗିଗଲା । ହତାଶ ହୋଇ ଅନୈତିକ କାମ କରିବାଠାରୁ ଆରମ୍ଭ କରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପମାନ ବି ଲୋକେ ନେବାରେ ଲାଗିଲେ । ସେହିପରି ରୋଜଗାର ନପାଇ ହତାଶ ହୋଇ ହରିୟାଣାର ପାନିପତ ଜିଲ୍ଲାର ଏକ ନବ ବିବାହିତ ଦମ୍ପତ୍ତି ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି ।
ଘଟଣାଟି ଘଟିଛି ପାନିପତ ଜିଲ୍ଲାର ରାଜନଗର ଅଞ୍ଚଳରେ । ସୂଚନା ଅନୁଯାୟୀ ରାଜନଗରରେ ରହୁଥିବା ଜଣେ ୨୮ ବର୍ଷ ବୟସ୍କ ଆବେଦ ନାମକ ଯୁବକ ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖରେ ବିକାଶ ନଗର ସ୍ଥିତ ନଜମାଙ୍କୁ ବିବାହ କରିଥିଲେ । ପେଶା ତାଙ୍କର ୱେଲଡିଂ କାମ । ହେଲେ କରୋନାର ଆତଙ୍କ ଓ ଲକଡାଉନ ଯୋଗୁଁ ସେ ରୋଜଗାର ହରାଇଥିଲେ ଓ ହତାଶ ବି ଥିଲେ । ଅନଲକ ଆରମ୍ଭ ହେଲାବେଳକୁ ତାଙ୍କୁ କାମ ମିଳିଯିବ ବୋଲି ସେ ଆଶା ବାନ୍ଧିଥିଲେ । ତଥାପି ତାଙ୍କୁ କିଛି କାମ ମିଳିନଥିଲା ।
ଘଟଣା କ୍ରମେ ପ୍ରତିଦିନ ସକାଳ ହେଲେ ଆବେଦ ବାହାରିଯାଆନ୍ତି କାମ ଖୋଜିବାକୁ ଆଉ ସଞ୍ଜ ନଇଁଲେ ଘରକୁ ଫେରନ୍ତି । ଏହାକ ନେଇ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୁଏ । ଦିନେ ସକାଳେ ଆବେଦଙ୍କ ବଡ଼ ଭାଇ ତଳକୁ ଆସି ସାନ ଭାଇ ଆବେଦ କି ତାଙ୍କ ପତ୍ନୀ କାହାକୁ ଦେଖିବାକୁ ନପାଇ ଝରକା ବାଟେ ଦେଖିଲେ ଯେ ଦୁହେଁ ଫାଶୀ ଲଗାଇ ଝୁଲି ପଡ଼ିଛନ୍ତି । ତେବେ ଏ ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା । ଶବ ବ୍ୟବଛେଦ ପରେ ଶବଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ମୃତ ଆବେଦଙ୍କ ବଡ଼ ଭାଇ ଜାବେଦଙ୍କ କହିବାନୁସରେ ଦୁଇ ଭାଇ ଉପର ତଳ ହେଇ ଗୋଟିଏ ଘରେ ରୁହନ୍ତି । ରୋଜଗାର ହରାଇବା ପରେ ସାନ ଭାଇ ବହୁତ ଚିନ୍ତାରେ ରହୁଥିଲେ । ତଥାପି ଶୀଘ୍ର ସବୁ ଠିକ୍ ହୋଇଯିବ ବୋଲି ସେ ଆଶା ବାନ୍ଧିଥିଲେ । ମାତ୍ର ସେ ଯେ ଏପରି ଚରମ ପଦକ୍ଷେପ ନେବେ ଏକଥା ହୁଏତ ଘରଲୋକେ ବି କେବେ ଭାବିଥିଲେ ।