କରୋନା ସଂକ୍ରମଣ ଥମିବାର ନାଁ ନେଉନି । ଆଉଥରେ ତାର କାୟା ବିସ୍ତାର କଲାଣି ଚାରିଆଡ଼େ । ଦେଶରେ ମହାରାଷ୍ଟ୍ର ଏହି କରୋନା ସଂକ୍ରମଣରେ ଅଧିକ ପ୍ରଭାବିତ ହେବାରେ ଲାଗିଛି । ତେଣୁ ପ୍ରଶାସନ ଗୋଟିଏ ପରେ ଗୋଟିଏ ସହରରେ କଟକଣା ଲାଗୁ କରିବାରେ ଲାଗିଛି । ଅକୋଲା ପ୍ରଶାସନ ଆଜି ରାତି ୮ଟାରୁ ସୋମବାର ସକାଳ ୮ଟା ଯାଏଁ ଲକଡାଉନ ଘୋଷଣା କରିଥିବାବେଳେ ପୁଣେରେ ଆରମ୍ଭ ହୋଇଯାଇଛି ନାଇଟ କର୍ଫ୍ୟୁ ।
ଏହାସହିତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ ଏବଂ କଲେଜ । ନାଇଟ କର୍ଫ୍ୟୁର ଅବଧି ରାତି ୧୧ଟାରୁ ସକାଳ ୬ଟା ଯାଏଁ ରହିଥିବା ବେଳେ ରାତି ୧୦ଟା ପରେ ବନ୍ଦ ରହିବ ସମସ୍ତ ହୋଟେଲ, ବାର୍, ମଲ ଏବଂ ଥିଏଟର । ପାର୍କଗୁଡ଼ିକ ମଧ୍ୟ ସନ୍ଧ୍ୟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ପୁଣେ ପ୍ରଶାସନ ।

ସେପଟେ ଅକୋଲା ପ୍ରଶାସନ ଲକଡାଉନ ସମୟରେ କେବଳ ଜରୁରୀ ସେବା ଓ ସାମଗ୍ରୀକୁ ଛାଡ଼ି ସବୁ ବନ୍ଦ ରହିବ ବୋଲି ଘୋଷଣା କରିଛି । ଗୁରୁବାର ନାଗରପୁରରେ ଆସନ୍ତା ୧୫ରୁ ୨୧ ଯାଏଁ ଲକଡାଉନ ଲାଗୁ କରିବାକୁ ଘୋଷଣା ହୋଇଥିଲାବେଳେ ଔରଙ୍ଗାବାଦରେ ଗତକାଲି ରାତି ୧୧ଟାରୁ ସକାଳ ୬ ଯାଏଁ କାର୍ଯ୍ୟକାରୀ ହୋଇଛି ନାଇଟ କର୍ଫ୍ୟୁ ।
କେବଳ ମହରାଷ୍ଟ୍ର କାହିଁକି ପଞ୍ଜାବର ଲୁଧିଆନା ଏବଂ ପଟିଆଲାରେ ଆଜି ରାତି ୧୧ଟାରୁ ଭୋର ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । ନାଇଟ କର୍ଫ୍ୟୁରୁ ପୋଲିସ, ଆର୍ମି କର୍ମଚାରୀ, ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ଏବଂ ସରକାରୀ କର୍ମଚାରୀଙ୍କୁ ବାଦ୍ ଦିଆଯାଇଛି ।