ସଂସ୍କାର : ସୀମାରେ ମୁତୟନ ହୋଇଥିବା ସୈନିକଙ୍କ ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି ଭାରତୀୟ ସେନା। ସୈନିକଙ୍କ ଲାଗି ୬୨ ହଜାରରୁ ଅଧିକ ବୁଲେଟପ୍ରୁଫ୍ ଜ୍ୟାକେଟ୍ କିଣିବା ପାଇଁ ଟେଣ୍ଡର ଜାରି କରିଛି ଭାରତୀୟ ସେନା। ପ୍ରତିରକ୍ଷା ମନ୍ତ୍ରଣାଳୟ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ଥିବା ଜ୍ୟାକେଟ କ୍ରୟ କରିବା ପାଇଁ ଦୁଇଟି ପୃଥକ ପୃଥକ ଟେଣ୍ଡର ଜାରି କରିଛି।
ଏନେଇ ଜାରି ହୋଇଥିବା ଟେଣ୍ଡର ଅନୁସାରେ ସାଧାରଣ ପ୍ରକ୍ରିୟାରେ ୪୭,୬୨୭ ଏବଂ ଜରୁରୀକାଳୀନ କ୍ରୟ ପ୍ରକ୍ରିୟାରେ ୧୫ ହଜାର ଜ୍ୟାକେଟ୍ ଆସନ୍ତା ୩-୪ ମାସ ମଧ୍ୟରେ କ୍ରୟ କରାଯିବ। ସୈନିକଙ୍କ ଲାଗି ବୁଲେଟ ପ୍ରୁଫ୍ ଜ୍ୟାକେଟ୍ କ୍ରୟ କରିବାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ ସେନା ।
ଏନେଇ କୁହାଯାଇଛି ଯେ, ସାଧାରଣ ପ୍ରକ୍ରିୟାରେ କ୍ରୟ କରାଯିବାକୁ ଥିବା ୪୭,୬୨୭ ଜ୍ୟାକେଟ ପର୍ଯ୍ୟାୟକ୍ରମେ କ୍ରୟ କରାଯିବ। ଏହି କ୍ରୟ ପ୍ରକ୍ରିୟା ଆସନ୍ତା ୧୮-୨୪ ମାସ ମଧ୍ୟରେ ଶେଷ ହେବ। ସେନା ଦ୍ୱାରା ତାଲିକାଭୁକ୍ତ ହୋଇଥିବା ବିଶିଷ୍ଟତାରେ କୁହାଯାଇଛି ଯେ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଜଣେ ସୈନିକଙ୍କୁ ୭.୬୨ ମିଲିମିଟର ଆର୍ମର ପିୟର୍ସିଙ୍ଗ ରାଇଫଲ ଗୁଳିଗୋଳା ସହ ୧୦ ମିଟର ଦୂରରୁ ଚଳାଯାଇଥିବା ଷ୍ଟିଲ କୋର ଗୁଳିରୁ ରକ୍ଷା କରିପାରିବ।
ଭାରତୀୟ ସେନା ଲାଗି କ୍ରୟ କରାଯାଉଥିବା ବୁଲେଟପ୍ରୁଫ୍ ଜ୍ୟାକେଟ୍ ଚତୁର୍ଥ ସ୍ତରର ହେବ। ଯାହା ଷ୍ଟିଲ୍ କୋର୍ ବୁଲେଟ୍ ବିରୋଧରେ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଏହି ଜ୍ୟାକେଟ ପ୍ରଥମେ ଜାମୁ କାଶ୍ମୀର ଠାରେ ଆତଙ୍କବାଦୀ ଦମନ ଅଭିଯାନରେ ନିୟୋଜିତ ସୈନିକଙ୍କୁ ପ୍ରଦାନ କରାଯିବ। ଭାରତୀୟ ସେନା ନିଶ୍ଚିତ ଏହା କରିବ ଯେ ଏହି ଜ୍ୟାକେଟ ସ୍ୱଦେଶରେ ତିଆରି ହୋଇଛି। ଏହାର ନିର୍ମାଣରେ ବ୍ୟବହାର ହୋଇଥିବା ସାମଗ୍ରୀ କୌଣସି ବିଦେଶରୁ ଆମଦାନୀ କରାଯାଇନାହିଁ।