ପାକିସ୍ତାନରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଛି । ଏଥର ଭାରତ ନୁହେଁ ଇରାନ ପାକିସ୍ତାନ ଉପରେ ଆକ୍ରମଣ କରିଛି । ସୂଚନାନୁସାରେ, ଇରାନ ପାକିସ୍ତାନ ଉପରେ ଆକ୍ରମଣ କରି ନିଜର ଦୁଇ ସୈନିକଙ୍କୁ ଉଦ୍ଧାର କରିଛି । ଇରାନ ମଙ୍ଗଳବାର ରାତିରେ ପାକିସ୍ତାନରେ ପ୍ରବେଶ କରି ନିଜ ସୈନିକମାନଙ୍କୁ ଉଦ୍ଧାର କରି ବହୁ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା । ଇରାନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଅପରେସନରେ ପାକିସ୍ତାନର କିଛି ସୁରକ୍ଷା ବାହିନୀ ମଧ୍ୟ ନିହତ ହୋଇଥିଲେ ।
IRGC (ଇରାନ ବିପ୍ଳବୀ ଗାର୍ଡ) ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ ଏକ ସଫଳ ଗୁପ୍ତଚର କାର୍ଯ୍ୟରେ ମଙ୍ଗଳବାର ରାତିରେ ଦୁଇ ଇରାନ ସୈନିକଙ୍କୁ ମୁକ୍ତ କରାଯାଇଛି । ଏହି ବିବୃତ୍ତିରେ ଆହୁରି କୁହାଯାଇଛି ଯେ ଦୁଇ ବର୍ଷ ପୂର୍ବେ (୨୦୧୮ ମସିହାରେ) ପାକିସ୍ତାନର ଜୈଶ ଅଲ-ଅଦଲ ଆତଙ୍କବାଦୀ ଗୋଷ୍ଠୀ ଦୁଇ ଇରାନ ସୈନିକଙ୍କୁ ଅପହରଣ କରି ନେଇଥିଲେ । ଇରାନ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିବା ପାଇଁ ଗୁପ୍ତଚର ତଥା ସୈନିକଙ୍କ ସାହାଯ୍ୟ ଲୋଡ଼ିଥିଲା ଏବଂ ଇରାନ ସୈନିକମାନଙ୍କୁ ନିଜ ଅଧୀନରେ ରଖିଥିବା ଆତଙ୍କବାଦୀଙ୍କ ବିଷୟରେ ଜାଣିଥିଲା ।

ତେବେ ସର୍ଜିକାଲ ଷ୍ଟ୍ରାଇକ ପାକିସ୍ତାନରେ ନୂଆ ନୁହେଁ । ଏହାପୂର୍ବରୁ ଆମେରିକା ଏବଂ ଭାରତ ସର୍ଜିକାଲ ଷ୍ଟ୍ରାଇକ କରି ଆତଙ୍କବାଦୀଙ୍କୁ ମାତ୍ ଦେଇଛନ୍ତି । ସୂଚନାଥାଉ ଯେ ୨୦୧୮ ଅକ୍ଟୋବର ମଧ୍ୟ ଭାଗରେ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଜୈଶ ଅଲ-ଅଦଲ ଦକ୍ଷିଣ-ପୂର୍ବ ସିସ୍ତାନ-ବାଲୁଚିସ୍ତାନ ପ୍ରଦେଶର ମିର୍ଜାଭେ ସୀମାରେ ୧୪ ଜଣ ଇରାନ ସୈନିକ (ସ୍ୱେଚ୍ଛାସେବୀ ବାହିନୀ ଏବଂ ସୀମା ସୁରକ୍ଷା କର୍ମୀ) ଙ୍କୁ ଅପହରଣ କରି ନେଇଥିଲେ । ୧୫ ନଭେମ୍ବରରେ ମାଓବାଦୀମାନେ ୫ ଜଣ ସୈନ୍ୟଙ୍କୁ ମୁକ୍ତ କରିଥିଲେ । ମାର୍ଚ୍ଚ ୨୦୧୯ ରେ ଆତଙ୍କବାଦୀମାନେ ଅନ୍ୟ ୪ ଜଣ ସୈନ୍ୟଙ୍କୁ ମୁକ୍ତ କରିଥିଲେ । ଇରାନର ରିଭ୍ୟୁଲେସନାରୀ ଗାର୍ଡ ବୈଦେଶିକ ଗୁପ୍ତଚର ସେବା ଉପରେ ଜୈଶ ଅଲ-ଅଦଲ ସହଯୋଗର ଅଭିଯୋଗ କରିଥିଲା ।