ଇସ୍ଲାମାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ମିରପୁର, ମୁଜାଫ୍ଫରାବାଦ ଏବଂ ଗିଲଗିଟ ଆଦି ଅଞ୍ଚଳର ପାଣିପାଗ ସମ୍ପର୍କରେ ରିପୋର୍ଟ ଦେବା ଭାରତୀୟ ପଦକ୍ଷେପକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଛି । ଶୁକ୍ରବାରଠାରୁ ଭାରତର ସରକାରୀ ପ୍ରସାରଣ ମାଧ୍ୟମ ଦୂରଦର୍ଶନ ତଥା ଆକାଶବାଣୀ ନିଜ ନିଜ ପ୍ରାଇମ୍ ଟାଇମ୍ ନ୍ୟୁଜ ବୁଲେଟିନରେ (PoK) ର ପାଣିପାଗ ବିଷୟରେ ରିପୋର୍ଟ କରିବା ଆରମ୍ଭ କରିଦେଇଛନ୍ତି ।
ଏକ ବିବୃତ୍ତି ଦେଇ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି ଯେ ଗତ ବର୍ଷ ଭାରତ ଦ୍ଵାରା ପ୍ରକାଶିତ ରାଜନୈତିକ ମାନଚିତ୍ର ପରି ଏହି ପଦକ୍ଷେପ ମଧ୍ୟ ଆଇନଗତ ନିରର୍ଥକ । ଉଲ୍ଲେଖନୀୟ କଥା ହେଉଛି, କିଛି ଦିନ ପୂର୍ବରୁ ଭାରତ ପାକିସ୍ତାନକୁ ଅଧିକୃତ କାଶ୍ମୀର (PoK) ଖାଲି କରିବାକୁ କହିସାରିଛି ।
ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାକିସ୍ତାନକୁ କହିଦେଇଛି ଯେ ଗିଲଗିଟ-ବାଲ୍ଟିସ୍ଥାନ ସହିତ ଲଦାଖ ଓ ସମଗ୍ର ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ପାକିସ୍ତାନ ତୁରନ୍ତ ଏହି ଅଞ୍ଚଳଗୁଡ଼ିକୁ ଏହାର ବେଆଇନ ଦଖଲାରୁ ମୁକ୍ତ କରିବା ଉଚିତ୍ । ଗିଲଗିଟ-ବାଲ୍ଟିସ୍ଥାନରେ ସାଧାରଣ ନିର୍ବାଚନ କରିବାକୁ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଭାରତ ଦୃଢ ଆପତ୍ତି ଉଠାଇଛି ।