ସଂସ୍କାର : ପ୍ରଥମେ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଯିବା, ଆଉ ତାପରେ ସେହି ଅନ୍ୟଦେଶ ଯଦି ଆମକୁ ବହୁତ ବର୍ଷ ରହିଲା ପରେ ନିଜର ନ କରେ ତେବେ ସେହି ଯନ୍ତ୍ରଣା ଜୀବନକୁ ବହୁତ କଷ୍ଟଦିଏ। ତେବେ ଏମିତି ହିଁ ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ ଥିବା ଆଫଗାନିସ୍ତାନୀଙ୍କ ନିକଟରେ।
ଆଫଗାନିସ୍ତାନର ପାଖାପାଖି ୧୫ ଲକ୍ଷ ଲୋକ ବର୍ତ୍ତମାନ ପାକିସ୍ତାନରେ ଶରଣାର୍ଥୀ ଭାବରେ ରହୁଛନ୍ତି। ଅଶୀ ଦଶକରେ ପାଖାପାଖି ୧୦ ଲକ୍ଷ ଲୋକ ଆଫଗାନିସ୍ତାନକୁ ଛାଡି ପାକିସ୍ତାନକୁ ନିଜର କରିଥିଲେ। ତେବେ ପାଖାପାଖି ୪୦ ବର୍ଷ ପରେ ଏମାନଙ୍କର ସଂଖ୍ୟା ୧୦ ଲକ୍ଷରୁ ବଢି ୧୫ ଲକ୍ଷ ହୋଇଯାଇଛି। ଆଉ ବର୍ତ୍ତମାନ ଏହି ୧୫ ଲକ୍ଷ ଲୋକଙ୍କୁ ପାକ୍ ନାଗରିକତା ଦେବାକୁ ମନାକରିଦେଇଛି ପାକିସ୍ତାନ।
ଅଶୀ ଦଶକରୁ ଆଫଗାନିସ୍ତାନ ଛାଡିବା ପରେ ଏହି ଲୋକମାନେ ପାକିସ୍ତାନରେ ଶରଣାର୍ଥୀ ଭାବରେ ବାସ କରୁଛନ୍ତି। ଗତ ୪୦ ବର୍ଷ ମଧ୍ୟରେ, ଏହି ପରିବାରର ପିଲାମାନେ ପାକିସ୍ତାନରେ ଜନ୍ମ ହୋଇଛନ୍ତି ଏବଂ ବଡ଼ ମଧ୍ୟ ହୋଇଛନ୍ତି। ତେବେ ଏହି ପିଲାମାନଙ୍କୁ ତଥାପି ପାକ୍ ନାଗରିକତା ମିଳୁନାହିଁ। ଯାହା ଏକ ଚିନ୍ତାର ବିଷୟ। ଯଦିଓ ପାକିସ୍ତାନରେ ଜନ୍ମିତ ଶିଶୁ ମାନଙ୍କର ପାକ୍ ନାଗରିକତ୍ୱ ପାଇବାର ଅଧିକାର ଅଛି, କିନ୍ତୁ ସ୍ଥାନୀୟ ନାଗରିକଙ୍କ ଚାପରେ ସରକାର ଆଫଗାନିସ୍ତାନ ପିଲାମାନଙ୍କୁ ନାଗରିକତା ଦିଅନ୍ତି ନାହିଁ।
ଏକ ଘଟଣା ଦେଖିବାକୁ ଗଲେ, କରାଚିରେ ରହୁଥିବା ୨୪ ବର୍ଷିୟ ଆଫଗାନିସ୍ତାନ ଶରଣାର୍ଥୀ ସଲିମଙ୍କର ଡାକ୍ତର ହେବାର ସ୍ୱପ୍ନ ଥିଲା। କିନ୍ତୁ ସେ କୌଣସି ମେଡିକାଲ କଲେଜରେ ଆଡମିଶନ ପାଇନଥିଲେ। ଆଜି ସଲିମ ଲ୍ୟାବ ଟେକ୍ନିସିଆନ ହୋଇ ରୋଜଗାର କରୁଛନ୍ତି। ଡକ୍ୟୁମେଣ୍ଟ୍ ନ ଥିବା ଯୋଗୁଁ , ସେ ଅନ୍ୟମାନଙ୍କ ତୁଳନାରେ କମ୍ ବେତନ ପାଉଛନ୍ତି।
ତେବେ ଆହୁରି ମଧ୍ୟ ଦୁଖଃଦ ଘଟଣା ଦେଖିବାକୁ ମିଳିଛି। ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ପାକ୍ ଅଧିକାରୀମାନଙ୍କୁ ଲାଞ୍ଚ ଦେବାକୁ ପଡୁଛି। କାରଣ ଯଦି ସେମାନେ ପାକ୍ ନାଗରିକତ୍ୱ ବିନା ପାକିସ୍ତାନରେ କାର୍ଯ୍ୟ କରନ୍ତି ତେବେ ସେମାନଙ୍କୁ ଯେ କୌଣସି ସମୟରେ ଆଫଗାନିସ୍ତାନ ପଳାଇଯିବେ। ଯାହା ସେମାନେ ଚାହାନ୍ତି ନାହିଁ।
ତେବେ ୨୨ ବର୍ଷୀୟ ସମୀର କହିଛନ୍ତି ଯେ ମୋର ପିତାମାତା ଆଫଗାନିସ୍ତାନକୁ ସେମାନଙ୍କର ଦେଶ ବୋଲି ଭାବନ୍ତି, କିନ୍ତୁ ମୁଁ ପାକିସ୍ତାନରେ ଜନ୍ମ ନେଇଥିଲି, ଏଠାରେ ଅଧ୍ୟୟନ କଲି ଏବଂ ଏଠାରେ ମଧ୍ୟ କାମ କରେ। ମୋର ଦେଶ ହେଉଛି ପାକିସ୍ଥାନ। ଜାତିସଂଘ କ୍ୟାମ୍ପରେ ସମୀର ସିଲେଇ ଏବଂ ଏମ୍ବ୍ରୋଡୋରୀ ଶିଖିଛନ୍ତି ଏବଂ ଏହା ହେଉଛି ତାଙ୍କର ଜୀବିକା। କିନ୍ତୁ ଦୁଃଖର ବିଷୟ ଏହା ଯେ ତାଙ୍କୁ ଏପର୍ଯ୍ୟନ୍ତ ପାକ୍ ନାଗରିକତା ଦିଆଯାଇନାହିଁ।