ମାଲିକାଣୀକୁ ଦେଖି ପୋଷା କୁକୁର ୪ ମହଲା ଉପରୁ ଡେଇଁ ପଡ଼ିଲା : ଆଉ ତା’ପରେ … ! ପଢନ୍ତୁ ପୁରା କାହାଣୀ

କାନପୁର : ମଣିଷ ଓ ପଶୁ ମଧ୍ୟରେ ଥିବା ସମ୍ପର୍କର ଅନନ୍ୟ ଉଦାହରଣ ଏଇ ଘଟଣା । ସ୍ୱାସ୍ଥ୍ୟ ବିଭାଗରେ ଯୁଗ୍ମ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିବା ଡକ୍ଟର ଅନୀତା ରାଜ ସଚ୍ଚନଙ୍କର କିଡନୀ ରୋଗ ହୋଇଥିଲା । ବୁଧବାର ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଅନୀତାଙ୍କ ମୃତଦେହ ଘରେ ପହଞ୍ଚିବା ମାତ୍ରେ ତାଙ୍କ ପୋଷା କୁକୁର ଭୁକିବା ସହିତ କାନ୍ଦିବାକୁ ଲାଗିଲା । ସେତେବେଳେ ଅନୀତାଙ୍କ ପୁଅ ଚତୁର୍ଥ ମହଲାରେ ଥିବା ଗୋଟେ କୋଠରୀରେ ଉକ୍ତ ପୋଷା କୁକୁର (ଜୟା) କୁ ତାଲା ପକାଇ ଦେଇଥିଲେ ।

ମାଲିକାଣୀର ମୃତଦେହ ଦେଖି ଜୟା ଚତୁର୍ଥ ମହଲାରେ ଥାଇ ଛଟପଟ ହେଲା । କୌଣସି ପ୍ରକାରେ ସେ ବାଲକୋନୀରେ ପହଞ୍ଚି ଚତୁର୍ଥ ମହଲାରୁ ଡେଇଁ ପଡିଲା । ଘଟଣାସ୍ଥଳରେ ଜୟାର ମୃତ୍ୟୁ ହେଲା । ମାଲିକାଣୀ ସହିତ ପୋଷା କୁକୁର ଜୟାର ଶବ ଏକାଠି ବାହାରିଥିଲା ଘରୁ । ଯିଏ ଏ ଦୃଶ୍ୟ ଦେଖିଲା, ତା ଆଖି ଭାବପ୍ରବଣତାରେ ଓଦା ହେଲା ।

ବାରା ପୋଲିସ ଷ୍ଟେସନ ଅଞ୍ଚଳର ମଲିକାପୁରମରେ ରହୁଥିବା ଡକ୍ଟର ରାଜକୁମାର ସଚ୍ଚନ ହମିରପୁରର ମୁଖ୍ୟ ଚିକିତ୍ସା ଅଧିକାରୀ ଓ ତାଙ୍କ ପତ୍ନୀ ଅନୀତା ଉଭୟ ପୁଅ ଡକ୍ଟର ତେଜାସ ଏବଂ ଝିଅ ଜାହ୍ନବୀଙ୍କ ସହ ରହୁଥିଲେ । ୧୩ ବର୍ଷ ପୂର୍ବେ ଡକ୍ଟର ଅନୀତା ରାଜ, ଜୟାଙ୍କୁ କେପିଏମ ହସ୍ପିଟାଲରୁ ଆଣିଥିଲେ । ସେତେବେଳେ ଜୟା ଶରୀରରେ ପୋକଜୋକ ଥିଲା ଯାହାକୁ ଅନୀତା ଚିକିତ୍ସା କରିଥିଲେ ଓ ଜୟା ସୁସ୍ଥ ହେବା ପରେ ଘରକୁ ଆଣିଥିଲେ । ଅନୀତାଙ୍କ ସହିତ ଜୟା ଖୁବ ମିଶି ଯାଇଥିଲା ଓ ଅନିତ ଘରକୁ ନଫେରିବା ପର୍ଯ୍ୟନ୍ତ ଜୟା ଶୋଇ ନଥାଏ ।

ଗତ ଏକ ସପ୍ତାହ ଧରି ଅନୀତା ରାଜଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେ ସମୟରେ ଜୟା ଠିକରେ ଖାଉ ନଥିଲା । ଜୟାର ଆଖିରେ ସବୁବେଳେ ତା ମାଲିକାଣୀ ପାଇଁ ଲୁହ ଥିଲା । ଡକ୍ଟର ତେଜସ୍ ମା’ଙ୍କ ଶବ ସହିତ ଘରେ ପହଞ୍ଚିବା ମାତ୍ରେ ଜୟା ତୁରନ୍ତ ଶବ ନିକଟରେ ପହଞ୍ଚିଥିଲା । ମାଲିକାଣୀର ଶବ ଦେଖି ସେ କାନ୍ଦିବାକୁ ଲାଗିଲା ଓ ଜୋରରେ ଭୁକିବା ଆରମ୍ଭ କରିଥିଲା ।

Leave a Reply

Your email address will not be published. Required fields are marked *