ଗତ କିଛି ଦିନ ହେବ ଚୀନ ସହିତ ସୀମା ବିବାଦ ଲାଗିରହିଛି ଏବଂ ୟା ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକସ୍ମିକ ଭାବରେ ଯାଇ ପହଞ୍ଚିଛନ୍ତି ଲଦାଖରେ । ଦେଶ ସୁରକ୍ଷା ପାଇଁ ଦିନ ରାତି ସଜାଗ ରହୁଥିବା ଯବାନଙ୍କ ମନୋବଳ ବଢେଇବା ଉଦ୍ଦେଶ୍ୟ ସାଙ୍ଗରେ ଆହତ ଯବାନମାନଙ୍କୁ ଭେଟିବାକୁ ଆର୍ମି ହସ୍ପିଟାଲରେ ଯାଇ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ନିମୁ କ୍ୟାମ୍ପରୁ ଚୀନ ବିପକ୍ଷରେ ଚେତାବାନୀ ଦେବା ପରେ ସେ ସୀମାର ସ୍ଥିତି ସମୀକ୍ଷା କରିଛନ୍ତି ।
ସୂଚନା ଅନୁଯାୟୀ ଜୁନ ୧୫ ତାରିଖରେ ଚୀନ ସହିତ ଗଲୱାନ ଘାଟି ସଂଘର୍ଷରେ ଆହତ ଯବାନମାନଙ୍କୁ ଲେହ ସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ସେହି ଆର୍ମି ହସ୍ପିଟାଲରେ ପହଞ୍ଚି ୱାନଟୁ ୱାନ ସବୁ ଯବାନଙ୍କ ସହିତ ଆଲୋଚନା କରିଛନ୍ତି । କେବଳ ସେତିକି ନୁହେଁ ସେ ଯବାନଙ୍କ ସାହସକୁ ପ୍ରଶଂସା କରିବା ସହିତ ତାଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି ।
ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ହସ୍ପିଟାଲରେ ଯବାନମାନଙ୍କୁ ପରିଦର୍ଶନ କରୁଥିଲେ ମାଇକ୍ରୋ ଫୋନ୍ ବ୍ୟବହାର କରି ଆହତ ଯବାନଙ୍କୁ ପ୍ରଶଂସା କରିଛନ୍ତି ଓ ଯବାନମାନେ ମଧ୍ୟ ତାଙ୍କୁ ସମ୍ମାନ ଦେବାକୁ ଯାଇ ବେଡ୍ ଉପରେ ଉଠି ବସିଥିଲେ । ମୋଦିଙ୍କ କହିବାନୁଯାୟୀ ଯେଉଁ ବୀର ଯବାନମାନେ ଆମକୁ ଛାଡ଼ି ଚାଲି ଯାଉଛନ୍ତି, ସେମାନେ ଅକାରଣେ ଯାଉନାହାନ୍ତି । ବରଂ ସେମାନେ ଦେଶର ସାର୍ବଭୌମତ୍ୱକୁ ରକ୍ଷା କରି ସହିଦ ହେଇଛନ୍ତି ।
ଆହତ ଯବାନମାନଙ୍କ ଉଦ୍ଦେଶ୍ୟରେ ମୋଦି ଆହୁରି ବି କହିଛନ୍ତି ଯେ ଆପଣମାନେ ସମସ୍ତେ ଶତ୍ରୁପକ୍ଷଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ଆପଣ ସମସ୍ତଙ୍କ ବୀରତ୍ୱ ଏବଂ ଦେଶଭକ୍ତି ତଥା ବଳିଦାନ ଦେଇଥିବା ପ୍ରତିଟି ରକ୍ତକଣିକା ଆମ ଯୁବକପିଢି ପାଇଁ ପ୍ରେରଣାଦାୟୀ । ୧୩୦ କୋଟି ଭାରତବାସୀ ଆପଣନାମାନଙ୍କ ପାଇଁ ଗର୍ବିତ ଓ ପିଢ଼ି ପରେ ପିଢ଼ି ଏ ବୀରଗାଥାକୁ ମନେ ରଖିବେ ।