ସାରା ଦେଶରେ ପ୍ରାୟ ଆଳୁ ଦର କିଲୋ ପ୍ରତି ୫୦ ଟଙ୍କାରେ ବିକ୍ରି ହେଉଛି । ପରିବା ଯେତେବେଳେ ଆକାଶ ଛୁଆଁ ଦର ସମୟରେ ଜଣେ ସାଧାରଣ ବ୍ୟକ୍ତି ପାଇଁ ଯଦି ଆଳୁ ଏବଂ ପିଆଜ ଦର ମଧ୍ୟ ଏମିତି ଅଧିକ ରହିବ ତେବେ ସେ ଖାଇବ କ’ଣ ? ପାର୍ବଣ ଋତୁ ପରେ ତ ଆଳୁର ଦାମ ଆହୁରି ବଢିଛି । ହେଲେ ଖବର ମୁତାବକ କିଲୋ ପ୍ରତି ଆଳୁ ଦର କମିବ, କାରଣ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ବଢିବାକୁ ଯାଉଛି ।
ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ସରକାର ନଭେମ୍ବର ୨୭ ତାରିଖରେ ଜାରି କରିଥିବା ଘୋଷଣାରେ କହିଥିଲେ ଯେ ୪୬୫ଟି ଶୀତଳଭଣ୍ଡାର ମାଲିକଙ୍କୁ କୁହାଯାଇଛି, ସେମାନେ ନଭେମ୍ବର ୩୦ ତାରିଖ ସୁଦ୍ଧା ନିଜ ନିଜର ଷ୍ଟକ୍ ଆଳୁକୁ ବାହାର କରିବେ । ଆଉ ଯିଏ ଏହା ନକଲା ତା’ ପ୍ରତି ନିଆଯିବ କାର୍ଯ୍ୟାନୁଷ୍ଠାନ । ଏମିତି ଏକ ଚେତାବନୀ ଦିଆଯାଇଥିଲା ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ । ସୂଚନାଥାଉ ଯେ ପଶ୍ଚିମବଙ୍ଗରେ ମଧ୍ୟ ଆଳୁର ବର୍ତ୍ତମାନ ମୂଲ୍ୟ ୫୦ ଟଙ୍କା ରହିଛି ।

ପଶ୍ଚିମବଙ୍ଗ ଶୀତଳଭଣ୍ଡାର ଆସୋସିଏସନର ଜଣେ ଅଧିକାରୀଙ୍କ କହିବାନୁସାରେ ଶୀତଳଭଣ୍ଡାର ଫାଟକ ପାଖରେ ଆଳୁର ବିଭିନ୍ନ କିସମର ହୋଲସେଲ ଦର ଗତ ୩ ଦିନରେ ୫ ଟଙ୍କା ପ୍ରତି କିଲୋ କମିଛି । ଆଗକୁ ଆହୁରି କମିବ । ପ୍ରାୟ ୨୮ ଟଙ୍କା ଯାଏଁ ଆଳୁ ଦାମ କରିବାର ସମ୍ଭାବନା ରହିଛି । ସେପଟେ ସ୍ଥାନୀୟ ବଜାରରେ ଆଳୁର ଖୁଚୁରା ଦାମ କିଲୋ ପ୍ରତି ୪୦ ଟଙ୍କା ହୋଇପାରେ ।
ତେବେ ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ୫୦ ପ୍ରତିଶତ ଶୀତଳଭଣ୍ଡାର ନିଜର ଷ୍ଟକ୍ ଖାଲି କରିବେ ଏବଂ ଡିସେମ୍ବର ଶେଷ ସୁଦ୍ଧା ସବୁ ଶୀତଳଭଣ୍ଡାର ଖାଲି ହେବ । ଏତଦବ୍ୟତୀତ କୃଷି ଆନ୍ଦୋଳନର ପ୍ରଭାବ ଆଳୁ ଉପରେ ଦେଖିବାକୁ ମିଳିଛି । ସେପଟେ କେନ୍ଦ୍ର ସରକାର ୩୧ ଜାନୁୟାରୀ, ୨୦୨୧ ପର୍ଯ୍ୟନ୍ତ ଆଳୁର ରପ୍ତାନୀ-ଆମଦାନୀ ଶୁଳ୍କ ନେଇ ୧୦ ଲକ୍ଷ ଟନ୍ ଉପରେ ୧୦ ପ୍ରତିଶତ କୋଟା ଧାର୍ଯ୍ୟ କରିଛନ୍ତି ।