ନୂଆଦିଲ୍ଲୀ: ରୋଷେଇ ଘରେ ଅତି ଦରକାରୀ ସାମଗ୍ରୀ ଭିତରେ ଯାଏ ଆଳୁ ଆଉ ପିଆଜ, ଯେଉଁ ଦୁଇଟିକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦିଆଯାଇଛି । କେନ୍ଦ୍ର କ୍ୟାବିନେଟ ଆଜି ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସମସ୍ତ ଦେଶବାସୀଙ୍କୁ ଚମକେଇ ଦେଇଛନ୍ତି । ଏହାବ୍ୟତୀତ ଡାଲି ଜାତୀୟ ଶସ୍ୟ ଓ ତୈଳବୀଜକୁ ସରକାର ନିୟନ୍ତ୍ରଣ ମୁକ୍ତ ଘୋଷଣା କରିଛନ୍ତି ।
ଏବେ ଆପଣ ଭାବୁଥିବେ ନିୟନ୍ତ୍ରଣ ମୁକ୍ତ’ର ଅର୍ଥ କଣ ! ନିୟନ୍ତ୍ରଣ ମୁକ୍ତ ହେବା ମାନେ କେବଳ ଯୁଦ୍ଧ ଓ ମରୁଡି ଭଳି ଜରୁରୀ ପରିସ୍ଥିତିକୁ ଛାଡ଼ିଦେଲେ ଆଳୁ, ପିଆଜର MRP ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ହେବନି । ଅମଳ ଆଉ ଏହି ନିଅଣ୍ଟିଆ ସମୟରେ ଦରରେ ହ୍ରାସ-ବୃଦ୍ଧିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି କେନ୍ଦ୍ର ପକ୍ଷରୁ ।

ଯଦି ମନରେ ପ୍ରଶ୍ନ ଆସେ ଯେ କାହିଁକି ଏପରି ନିଷ୍ପତ୍ତି ନିଆଯାଇଛି ତେବେ ଉତ୍ତର ହେଲା, ଦେଶରେ ଦର ସ୍ଥିର ରଖିବାକୁ ଅତ୍ୟଧିକ ଉତ୍ପାଦନ ହୋଇଥିଲେ ହେଁ ଆଳୁ ଆଉ ପିଆଜକୁ ରପ୍ତାନୀ ଅନୁମତି ମିଳି ନଥାଏ । ଏଥିପାଇଁ ଚାଷୀଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଥାଏ । ଏସବୁକୁ ନିୟନ୍ତ୍ରଣ ମୁକ୍ତ କରିବା ଅର୍ଥାତ ଚାଷୀକୁ ତାର ଉଚିତ୍ ମୂଲ୍ୟ ଦେବା । ଏହାଦ୍ୱାରା ଚାଷରେ ପୁଞ୍ଜି ନିବେଶ ବଢ଼ିବ, ଆଉ ଚାଷୀମାନଙ୍କ ଭିତରେ ପ୍ରତିଯୋଗିତା ମଧ୍ୟ ବଢ଼ିବ ବୋଲି ଆଶାପୋଷଣ କରାଯାଉଛି ।