ସଂସ୍କାର: ଏବେ ଖରାର ପ୍ରକୋପ ମଧ୍ୟରେ ବେଶି ଚିନ୍ତାବଢାଉଛି ବିଜୁଳି ସଂକଟ । ବିଜୁଳି ଚାହିଦା ବଢିବାରୁ ପଞ୍ଜାବ. ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟକୁ ବିଜୁଳି କାଟ୍ କରିବାକୁ ପଡ଼ୁଛି । କିଛି ସ୍ଥାନରେ ୮ ଘଣ୍ଟା ବିଜୁଳି କାଟ୍ କରାଯାଉଥିବା ଜଣାପଡ଼ିଛି । ଭାରତରେ ୭୦% ବିଜୁଳି ଉତ୍ପାଦନ କୋଇଲା ଦ୍ୱାରା ହୋଇଥାଏ । କିନ୍ତୁ କୋଇଲା ଆମଦାନୀ ହ୍ରାସ ଯୋଗୁଁ ବିଜୁଳି ଯୋଗାଣ ବାଧିତ ହୋଇଛି ।
କରୋନା ମହାମାରୀ ହ୍ରାସ ହେବା ପରେ ଆର୍ଥିକ ଗତିବିଧି ପୁଣିଥରେ ବଢିବା ଓ ଦେଶରେ ଅତ୍ୟନ୍ତ ଗରମ ହେବାରୁ ବିଜୁଳିର ଚାହିଦା ବଢିଯାଇଛି । ଅନ୍ୟପକ୍ଷରେ ଶକ୍ତି ମନ୍ତ୍ରଣାଳୟ ଅନୁସାରେ ଏପ୍ରିଲ ୧୯କୁ ବିଜୁଳି ଉତ୍ପାଦକଙ୍କ ପାଖରେ ଯେଉଁ ଷ୍ଟକ ଥିଲା, ଯାହାର ହାରାହାରି ୮ ଦିନ ପାଇଁ ଚାଲିଥାନ୍ତା । ଚଳିତମାସ ପ୍ରଥମାର୍ଦ୍ଧରେ ଉତ୍ପାଦନରେ ୨୭% ବୃଦ୍ଧି ସତ୍ତ୍ୱେ ରାଜ୍ୟ ଅଧିନରେ ଥିବା କୋଲ ଇଣ୍ଡିଆ ଲିମିଟେଡ଼ ଚାହିଦା ପୂରଣ କରିପାରୁନାହିଁ ।
ଆଗାମୀ ସମୟରେ ମୌସୁମୀ ବର୍ଷା ସହ, କୋଇଲା ଖାଦାନରେ ପାଣି ଭର୍ତ୍ତି ହୋଇପାରେ ଏବଂ ପରିବହନରେ ମଧ୍ୟ ଅସୁବିଧା ସୃଷ୍ଟି ହୋଇପାରେ । ମୌସୁମୀ ପୂର୍ବରୁ ପ୍ରଥମେ କୋଇଲା ଷ୍ଟକ ଜମା କରାଯାଇଥାଏ ତେବେ ଭାରି ଚାହିଦା ଯୋଗୁଁ ଏହା ହୋଇପାରୁନାହିଁ ।