ୟୁପି ନିର୍ବାଚନ ପରେ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ଜାତୀୟ କଂଗ୍ରେସ, ସୋନିଆ ଗାନ୍ଧୀ ବିରୋଧୀ ଦଳକୁ ଏକତ୍ର କରିବା ପାଇଁ କରୁଛନ୍ତି ଯୋଜନା…

ସଂସ୍କାର : ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନର ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ଆସିବ। ଏହି ନିର୍ବାଚନ ପରେ କଂଗ୍ରେସ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନର ରଣନୀତି ଉପରେ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। କୁହାଯାଉଛି ଯେ ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଏହି ବିଧାନସଭା ନିର୍ବାଚନ ପରେ ବିରୋଧୀ ଦଳଙ୍କୁ ନେଇ ଏକ ବୈଠକ ଡାକିବେ। ଏହା ପୂର୍ବରୁ ମଧ୍ୟ ଅନ୍ୟ ବିରୋଧୀ ଦଳଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ପଶ୍ଚିମବଙ୍ଗରେ ଶାସନ କରୁଥିବା ମମତା ଦିଦିଙ୍କର ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟ ଜଡିତ ଥିଲା ଏବଂ ବର୍ତ୍ତମାନ ଏହି ସବୁ ଦଳକୁ ପୁନର୍ବାର ବୈଠକ ପାଇଁ ଡ଼କାଯାଇପାରେ। କଂଗ୍ରେସ ଦଳ ସହ ଜଡିତ ଏକ ସୂତ୍ରରୁ ଏହି ବିଷୟରେ ଜଣାପଡିଛି।

କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି ଯେ, ଏହା ପୂର୍ବରୁ ମଧ୍ୟ ଆମେ ଦୁଇଟି ବୈଠକ ଆୟୋଜନ କରିଛୁ, ଯେଉଁଥିରେ ସମସ୍ତ ବିରୋଧୀ ଦଳଙ୍କୁ ଡକାଯାଇଥିଲା ଏବଂ ଏଥର ମଧ୍ୟ ସେମାନଙ୍କୁ ନିମନ୍ତ୍ରଣ କରାଯିବ। ଚାଲୁଥିବା ବିଧାନସଭା ନିର୍ବାଚନ ପରେ ଏହି ବୈଠକ ଅନୁଷ୍ଠିତ ହେବ। କାରଣ ସମସ୍ତ ରାଜନୈତିକ ଦଳ ବର୍ତ୍ତମାନ ଏହି ନିର୍ବାଚନରେ ​​ବ୍ୟସ୍ତ ଅଛନ୍ତି।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଅଗଷ୍ଟ ୨୦୨୦ ରେ କଂଗ୍ରେସ ସମେତ ୧୯ ଟି ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସୋନିଆ ଗାନ୍ଧୀ ସମସ୍ତ ବିରୋଧୀ ଦଳର ନେତାମାନଙ୍କୁ ବ୍ୟକ୍ତିଗତ ସ୍ୱାର୍ଥଠାରୁ ଅଧିକ ଦେଶର ସ୍ୱାର୍ଥରେ ଚିନ୍ତା କରିବାକୁ ନିବେଦନ କରିଥିଲେ ଏବଂ କ୍ରମାଗତ ଭାବରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ବିଷୟରେ କହିଥିଲେ। ତେବେ ଆସନ୍ତା ବୈଠକରେ ବିରୋଧୀ ଦଳଙ୍କୁ ଏକତ୍ର କରି ସୋନିଆ ଗାନ୍ଧୀ କଣ ଆଲୋଚନା କରିବେ ତାହା ବୈଠକ ହେବା ପରେ ହିଁ ଜଣାପଡିବ। ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ କଣ ପଦକ୍ଷେପ ନେବ ତାହା ଖୁବ ଶୀଘ୍ର ଲୋକ ଲୋଚନକୁ ଆସିବ ବୋଲି ଜଣେ କଂଗ୍ରେସ ନେତା ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *