ଆଫଗାନିସ୍ତାନ ଛାଡି ଯିବା ପରେ ପ୍ରଥମ ଥର ସାମ୍ନାକୁ ଆସିଲେ ରାଷ୍ଟ୍ରପତି ଅଶ୍ରଫ ଘନି

ସଂସ୍କାର : ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବରେ ଅକ୍ତିଆର କରିନେଇଛି ଆତଙ୍କବାଦୀ ସଂଗଠନ ତାଲିବାନ। ଆଉ ତାଲିବାନଙ୍କ କବଳରୁ ମୁକ୍ତି ପାଇବା ପାଇଁ ଦେଶ ଛାଡ଼ୁଛନ୍ତି ଆଫଗାନୀବାସୀ। ରାଜଧାନୀ କାବୁଲର ବିମାନବନ୍ଦରରେ ଦେଖାଦେଇଛି ଭୟାନକ ପରିସ୍ଥିତି। ପ୍ରଥମେ ଆଫଗାନିସ୍ତାନର ରାଷ୍ଟ୍ରପତି ଅଶ୍ରଫ ଘନି ଦେଶ ଛାଡି ଯିବାପରେ , ସେଠାକାର ବାସିନ୍ଦାମାନେ ମଧ୍ୟ ଦେଶ ଛାଡି ଅନ୍ୟ ଦେଶକୁ ପଳାଇଛନ୍ତି।

ତେବେ ଦେଶ ଛାଡ଼ି ଯିବା ପରେ ପ୍ରଥମ ଥର ସୋସିଆଲ୍ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଆଫଗାନିସ୍ତାନର ରାଷ୍ଟ୍ରପତି ଅଶ୍ରଫ ଘନି । ସେ କାହିଁକି ଦେଶ ଛାଡ଼ିଲେ ଓ ସାଙ୍ଗରେ କଣ ନେଇ ଆସିଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତାରେ ଅଶ୍ରଫ ଘନି କହିଛନ୍ତି। ସେ କହିଛନ୍ତି ଯେ, ଶାନ୍ତି ପ୍ରକ୍ରିୟା ଫେଲ୍ ମାରିବା ପରେ ରକ୍ତପାତ ରୋକିବାକୁ ସେ ଦେଶ ଛାଡିଲେ। ଅଶ୍ରଫ ଘନି କହିଛନ୍ତି ଯେ, ତାଲିବାନଙ୍କ ସହ କଥାବାର୍ତ୍ତାରେ କୌଣସି ନିଷ୍କର୍ଷ ବାହାରିବାର ସମ୍ଭାବନା ନଥିଲା । ସେ ଦେଶ ଛାଡ଼ି ନଥିଲେ ରକ୍ତର ବନ୍ୟା ହୋଇଥାନ୍ତା। ସେଥିପାଇଁ ସେ ସୁରକ୍ଷା ଅଧିକାରୀଙ୍କ ପରାମର୍ଶରେ ଦେଶ ଛାଡ଼ିଲେ ବୋଲି କହିଛନ୍ତି । ଆସିବା ବେଳେ ଗୋଟିଏ ସ୍ୟାଣ୍ଡାଲ୍ ଓ ଡ୍ରେସ ଛଡ଼ା କିଛି ଆଣି ନାହାନ୍ତି ବୋଲି କହିଛନ୍ତି ଅଶ୍ରଫ ଘନି ।

ସେପଟେ ଦେଶରୁ ଟଙ୍କା ନେଇ ଚମ୍ପଟ ମାରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଶ୍ରଫ ଘନି । ସେ କହିଛନ୍ତି, ସେ ଦେଶରୁ ଟଙ୍କା ନେଇ ଆସି ନାହାନ୍ତି । ଶାନ୍ତିରେ କ୍ଷମତା ହସ୍ତାନ୍ତର କରିବାକୁ ଚାହୁଁଥିଲେ । ଇଚ୍ଛା ବିରୋଧରେ ତାଙ୍କୁ ଦେଶରୁ ଅଲଗା ରହିବାକୁ ପଡ଼ିଲା । ଯେଉଁମାନେ ତାଙ୍କୁ ପଳାତକ କହୁଛନ୍ତି ସେମାନେ ତାଙ୍କ ବାବଦରେ କିଛି ଜାଣି ନାହାନ୍ତି ବୋଲି ଘନି କହିଛନ୍ତି । ତେବେ ସେ ବର୍ତ୍ତମାନ ୟୁଏଇରେ ରହିଛନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *