ସଂସ୍କାର : ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ର୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ର୍ରକ୍ରିୟା ଜୁନ ୧୭ ତାରିଖରୁ ଆରମ୍ଭ ହୋଇ ଜୁନ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଅର୍ଥାତ୍ ଜୁନ ୩୦ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ଅନ୍ୟପକ୍ଷରେ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ତାରିଖ ରଖାଯାଇଛି । ତେବେ ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନରେ ୧୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ୧୧ ଜଣଙ୍କ ମଧ୍ୟରୁ ୧୦ଜଣଙ୍କ ନାମାଙ୍କନ ପତ୍ର ମଞ୍ଜୁର ହୋଇଥିବାବେଳେ ଗୋଟିଏ ଖାରଜ ହୋଇଯାଇଛି । ତେବେ ଏହି ଆଶାୟୀ ପ୍ରାର୍ଥୀମାନେ ହେଲେ ବିହାର ସାରନ ଜିଲ୍ଲାର ଲାଲୁ ପ୍ରସାଦ ଯାଦବ ଏବଂ ତାମିଲନାଡ଼ୁ ସାଲେମ ଜିଲ୍ଲାର କେ.ପଦ୍ମରାଜନ, ଦିଲ୍ଲୀର ଜୀବନ କୁମାର, ମହାରାଷ୍ଟ୍ରର ମହମ୍ମଦ ଏ ହମିଦ ପଟେଲ, ସାୟରାବାନୋ ମହମ୍ମଦ ପଟେଲ, ଟି.ରମେଶ, ବିହାରର ଶ୍ୟାମ ନନ୍ଦନପ୍ରସାଦ, ଦିଲ୍ଲୀର ଦୟା ଶଙ୍କର ଅଗ୍ରୱାଲ, ଓମ ପ୍ରକାଶ, ବିହାରର ଲାଲୁ ପ୍ର୍ରସାଦ ଯାଦବ, ତାମିଲନାଡ଼ୁର ଏ.ମନିଥନ, ଆନ୍ଧ୍ରପ୍ରଦେଶର ଏମଟି ରେଡ୍ଡୀ ।
ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶାଶକ ଦଳ ବିଜେପି ପକ୍ଷରୁ (NDA) ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀନି ଭାବରେ ଘୋଷଣା କରାଯାଇଛି। ଗତକାଲି ବିଜେପିର ସଭାପତି ଜେପି ନଡ୍ଡା ଏହି ଘୋଷଣା କରିଛନ୍ତି। ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ତରଫରୁ ପୂର୍ବତନ ବିଜେପି ଭେଟେରାନ ତଥା ଟିଏମସିରୁ ଇସ୍ତଫା ଦେଇଥିବା ଯଶବନ୍ତ ସିହ୍ନାଙ୍କ ନାମ ଆଗକୁ ନିଆଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ଜୁଲାଇ ୨୧ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇବ । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେଉଛି । ଅନ୍ୟପକ୍ଷରେ ନିର୍ବାଚିତ ନୂତନ ରାଷ୍ଟ୍ରପତି ଜୁଲାଇ ୨୫ ତାରିଖରେ ଶପଥ ଗ୍ରହଣ କରିବେ।