ରେଡ୍ ପାଇଁ ଯାଇଥିବା ACB ଟିମକୁ ଘର ବାହାରେ ଦେଖି ତହସିଲଦାର ତୁରନ୍ତ କବାଟ ଦେଇ ଜାଳିଦେଲେ 15 ଲକ୍ଷ ଟଙ୍କା

ରାଜସ୍ଥାନର ସିରୋହି ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଚକିତ କଲାଭଳି ଘଟଣା । ରେଡ୍ ପାଇଁ ଘର ବାହାରେ ପହଞ୍ଚିଲେ ଆଣ୍ଟି କରପସନ୍ ବ୍ୟୁରୋ ଅଧିକାରୀ । ଘର ବାହାରେ ACB ଟିମକୁ ଦେଖି ତୁରନ୍ତ କବାଟ ଦେଇ ଗ୍ୟାସରେ ଜାଳିଦେଲେ ପ୍ରାୟ ୧୫ ରୁ ୨୦ ଲକ୍ଷ ଟଙ୍କା ।

ମିଳିଥିବା ସୂଚନା ଅନୁସାରେ ବୁଧବାର ଦିନ ପିଣ୍ଡଓ୍ୱାଡାର ତହସିଲଦାର କଳ୍ପେଶ ଜୈନଙ୍କ ଘରେ ରେଡ୍ ପାଇଁ ପହଞ୍ଚିଥିଲେ ଆଣ୍ଟି କରପସନ ବ୍ୟୁରୋର ଏକ ଟିମ୍ । ଘର ବାହାରେ ACB ଟିମକୁ ଛିଡ଼ା ହୋଇଥିବା ଦେଖି ଘରେ ରଖିଥିବା ପ୍ରାୟ ୨୦ ଲକ୍ଷ ଟଙ୍କାକୁ ଗ୍ୟାସ ଚୁଲାରେ ଜାଳି ଦେଇଥିଲେ ଘର ଲୋକେ । ତେବେ ଏହା କରିବା ସମୟରେ ଝରକା ପଟେ ଦେଖିବା ସହିତ ଭିଡ଼ିଓ ସୁଟ୍ କରିଥିଲେ ଉପସ୍ଥିତ ଟିମ୍ । ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏହି ଭିଡ଼ିଓ ଯେଉଁଥିରେ ସ୍ପଷ୍ଟ ଦିଶୁଛି କିପରି ତହସିଲଦାରଙ୍କ ପତ୍ନୀ ଗ୍ୟାସରେ ପୁଳା ପୁଳା ନୋଟ୍ ସବୁକୁ ଜାଳି ଦେଉଛନ୍ତି ।

କେବଳ ସେତିକି ନୁହେଁ, ଭିଡ଼ିଓରେ ଟଙ୍କା ଜଳିବା ସହିତ ଶୁଣାଯାଉଛି କିପରି ଝରକା ବାହାରେ ଥିବା ଜଣେ ଅଧିକାରୀ କହୁଛନ୍ତି ଯେ, ସାରଙ୍କ ଦୁର୍ନୀତିରେ ଆପଣ ବି ସାମିଲ ! ମାତ୍ର କୌଣସି କଥାକୁ ଭ୍ରୁକ୍ଷେପ ନକରି ନିଜ କାମରେ ବ୍ୟସ୍ତ ଥିଲେ ତହସିଲଦାରଙ୍କ ପତ୍ନୀ ।

ସୂଚନା ଥାଉ ଯେ ପିଣ୍ଡଓ୍ୱାଡାର ରାଜସ୍ୱ ନୀରିକ୍ଷକ ପର୍ବତ ସିଂ ୧ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ିଥିଲେ । ତେବେ ଏହି ଲାଞ୍ଚ ସେ ତହସିଲଦାର କଳ୍ପେଶ୍ ଜୈନଙ୍କ ପାଇଁ ନେଉଥିବା ଆଣ୍ଟି କରପସନ ବ୍ୟୁରୋ ନିକଟରେ ସ୍ଵୀକାର କଲାପରେ ଟିମ୍ ଯାଇଥିଲା ତହସିଲଦାରଙ୍କ ଘରକୁ ତାଙ୍କୁ ଗିରଫ କରିବା ପାଇଁ । ଯେତେବେଳେ ଘର ଲୋକେ ଘର ରେଡ୍ ହେବା କଥା ଜାଣିପାରିଥିଲେ ସେ ସମୟରେ ଘରର କବାଟ ବନ୍ଦ କରି ଘରେ ଥିବା ସବୁ ଟଙ୍କା ଜାଳି ଦେଇଥିଲେ । ତେବେ ଘଟଣା ପରେ ଗିରଫ ହେଲେ ତହସିଲଦାର ଏବଂ ପୋଲିସ ଆଗରେ ସବୁ ମାନିଲେ ମଧ୍ୟ ।

Leave a Reply

Your email address will not be published. Required fields are marked *