ନିର୍ବାଚନକୁ ରହିଲା ଅଳ୍ପ କେଇଟା ଦିନ । ବୃଦ୍ଧ ବେଣୁଧର ବାରିକ କିନ୍ତୁ ଖୁବ ଚଳଚଞ୍ଚଳ ଏ ନିର୍ବାଚନକୁ ନେଇ । ପେଶା ତାଙ୍କର ବାରିକ ଦାଢି ଓ ଚୁଟି କଟିବା, ବାକି ସମୟରେ ସେ ସ୍ଥାନୀୟ ଲୋକଙ୍କ ଭଲମନ୍ଦ ବୁଝନ୍ତି । ତେବେ ବୟସର ଏ ଅପରାହ୍ନରେ ସେ ଅଣ୍ଟା ଭିଡ଼ିଛନ୍ତି ନିର୍ବାଚନ ଲଢିବାକୁ ଓ କହିଛନ୍ତି ମୋର ପଇସା ବଳ ଦରକାର ନାହିଁ, ମୋର ଲୋକ ବଳ ଅଛି ।
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବେଣୁ ମଉସା କହିଛନ୍ତି ଯେ ଏ ନିର୍ବାଚନରେ ମୁଁ ହାରି ଯାଇପାରେ, ଜିତି ବି ପାରେ । ସେଥିରେ ମୋର କିଛି ଯାଏ ଆସେ ନାହିଁ । ଥରେ ଜିତିଲେ କିନ୍ତୁ ଜାଣିବି ସମ୍ବିଧାନର ନିୟମ ସବୁ କଣ, କାହିଁକି କାଗଜ ଲେଖା ସବୁ ବାସ୍ତବରେ କାର୍ଯ୍ୟକାରୀ ହେଇପାରୁନାହିଁ । ଏତିକିରେ ସରି ନଥିଲା ତାଙ୍କ ଆତ୍ମବିଶ୍ଵାସ । ସେ ଆହୁରି ବି କହିଛନ୍ତି ଯେ ରାନୀ ପଣ୍ଡା ମୋତେ ସାଇକେଲ ଦେବେ । ସେଥିରେ ବସି ମୁଁ ପ୍ରଚାର କରିବି ।

ସୂଚନା ଅନୁସାରେ ବିବାଦୀୟ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ବି ଅକ୍ଟୋବର ୨୧ ତାରିଖ ଦିନ ଏକ ଭିଡ଼ିଓ ଜାରି କରି ଏ ବାବଦରେ ସ୍ପଷ୍ଟ କରିଛନ୍ତି । ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ରାନୀ ଭିଡ଼ିଓ ମାଧ୍ୟମରେ କହିଛନ୍ତି ଯେ ସେ ବାଲେଶ୍ଵର ଉପ-ନିର୍ବାଚନରେ ୯୦ ବର୍ଷ ବୟସ୍କ ବେଣୁଧର ବାରିକ ତରଫରୁ ପ୍ରଚାର କରିବେ । ଏହାସହିତ ରାନୀ କହିଛନ୍ତି ଯେ ବେଣୁ ମଉସାଙ୍କୁ ଗୋଟେ ସାଇକେଲ ଦେବି ଓ ତାଙ୍କ ସାଇକେଲ ପଛରେ ବସି ତାଙ୍କୁ ଭୋଟ ଦିଅ ବୋଲି ପ୍ରଚାର କରିବି ।

ଅନ୍ୟପକ୍ଷରେ ବେଣୁଧର କହିଛନ୍ତି ଯେ ଗାଁ ଲୋକେ ତାଙ୍କୁ ଠିଆ କରେଇଛନ୍ତି । ସେମାନେ ନିଶ୍ଚିତ ତାଙ୍କୁ ଭୋଟ ଦେବେ । ବିଧାୟକ ଭାବେ ନିର୍ବାଚିତ ହେଲେ ସେ ବସ୍ତିବାସିନ୍ଦାଙ୍କ ସମସ୍ୟା ନେଇ ବିଧାନସଭାରେ ଉପସ୍ଥାପନ କରିବେ । କେବଳ ବାଲେଶ୍ୱର ନୁହେଁ, ତମାମ ରାଜ୍ୟରେ ବସ୍ତିବାସିନ୍ଦାଙ୍କୁ କେମିତି ସ୍ଥାୟୀ ଜମିପଟ୍ଟା ମିଳିବ, ସେନେଇ ଆନ୍ଦୋଳନ କରିବେ ।