ସଂସ୍କାର : ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ହେଉଛନ୍ତି ଗୋଟିଏ ବୁଲା ଷଣ୍ଢ। ଏକଥା ଆମେ କହୁନୁ , ନିକଟରେ ଏହି ମନ୍ତବ୍ୟଟି ଦେଇଛନ୍ତି ନୂତନ ଭାବରେ କେନ୍ଦ୍ର କ୍ୟାବିନେଟରେ ଯୋଗ ଦେଇଥିବା ରାଓସାହେବ ଦାନବେ। ଶ୍ରୀ ଦାନେବ ରାହୁଲ ଗାନ୍ଧୀଙ୍କୁ ବୁଲା ଷଣ୍ଢ ସହିତ ତୁଳନା କରି ବିବାଦ ଘେରକୁ ଆସିଛନ୍ତି। ଜନ-ଆଶୀର୍ବାଦ ପାଇଁ ଯାଇଥିବା ବେଳେ ଦାନବେ କହିଥିଲେ ଯେ ରାହୁଲ ଗାନ୍ଧୀ କୌଣସି କାମରେ ଆସିପାରିବେ ନାହିଁ।
ସେ ଜଣେ ବୁଲା ଷଣ୍ଢ। ତେବେ ଶ୍ରୀ ଦାନବେଙ୍କ ବିବାଦୀୟ ଭାଷଣକୁ ବର୍ତ୍ତମାନ ଅଭଦ୍ରାମି ବୋଲି ବର୍ଣ୍ଣନା କରି କଂଗ୍ରେସ ଦଳ ତାଙ୍କୁ କେନ୍ଦ୍ର କ୍ୟାବିନେଟରୁ ବହିଷ୍କାର କରିବା ପାଇଁ ଦାବି କରିଛି। କଂଗ୍ରେସର ଏହି ଦାବି ବର୍ତ୍ତମାନ ସମଗ୍ର ଦେଶରେ ତୀବ୍ର ବେଗ ଧରିଛି। ତେବେ ଏଠାରେ ଆମେ କହି ରଖୁଛୁ ଯେ, ମହାରାଷ୍ଟ୍ରର ଜାଲନା ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ବେଳେ ଶ୍ରୀ ଦାନବେ ଏହି ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ମହାରାଷ୍ଟ୍ରର ସ୍ଥାନୀୟ ଭାଷା ମରାଠୀରେ ଭାଷଣ ଦେଇ ସେ କହିଥିଲେ ଯେ ରାହୁଲ ଗାନ୍ଧୀ କାହାରି ପାଇଁ କୌଣସି ଲାଭ ଦାୟକ କାର୍ଯ୍ୟ କରିପାରିବେ ନାହିଁ। ସେ କାହାର କାମରେ ଆସିପାରିବେ ନାହିଁ । ସେ ଜଣେ କର୍ମକୁଢ଼ିଆ। ରାହୁଲଙ୍କର କଥା କେବଳ ବଡ଼ ବଡ଼। ସେ ଆହୁରି ମଧ୍ୟ କହିଥିଲେ ଯେ, ସେ ଶିବ ଭଗବାନଙ୍କର ଉତ୍ସର୍ଗୀକୃତ ଷଣ୍ଢ ପରି। ଯେମିତିକି ଷଣ୍ଢ ସବୁଆଡେ ବୁଲନ୍ତି, କିନ୍ତୁ କାହାର କାମରେ ଆସିପାରିନ୍ତି ନାହିଁ , ଠିକ ସେଭଳି ହେଉଛନ୍ତି ରାହୁଲ ଗାନ୍ଧୀ। ମୁଁ ଦୀର୍ଘ ୨୦ ବର୍ଷ ଧରି ଲୋକସଭାରେ ଅଛି ଏବଂ ତାଙ୍କ କାର୍ଯ୍ୟ ଦେଖିଛି। ତେଣୁ ମୁଁ ତାଙ୍କୁ ଠିକ ଭାବରେ ଚିହ୍ନିଚି। ତେବେ ରାଓସାହେବ ଦାନବେଙ୍କ ଏହି ବିବାଦୀୟ ମନ୍ତବ୍ୟ ବର୍ତ୍ତମାନ ତାଙ୍କ ଚୌକି ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।