ସଂସ୍କାର : କ୍ୟାମେରାମ୍ୟାନଙ୍କୁ ବଞ୍ଚାଇବା ପାଇଁ ପାହାଡ଼ରୁ ଡେଇଁପଡିଲେ ମନ୍ତ୍ରୀ। ଆଉ ଉଚ୍ଚ ପାହାଡ଼ରୁ ଡେଇଁବା କାରଣରୁ ମନ୍ତ୍ରୀଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଋଷରେ। ଆର୍କଟିକରେ ରଣନୀତିକ ବ୍ୟାୟାମ ଚାଲିଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିବା ଋଷର ଜରୁରୀକାଳୀନ ମନ୍ତ୍ରୀ ୟେଭେନି ଜିନିଚେଭ ନିଜର ପ୍ରାଣ ହରାଇଛନ୍ତି। ତେବେ ମୃତ୍ୟୁବରଣ କରିଥିବା ଜିନିଚେଭ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପୂର୍ବ ଅଙ୍ଗରକ୍ଷୀ ଥିଲେ। ଏହି ଦୁର୍ଘଟଣାକୁ ବିଷୟରେ କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ୟେଭେଗେନି ଜିନିଚେଭ ଜଣେ କ୍ୟାମେରାମ୍ୟାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ। ଯିଏକି ପାହାଡ଼ରୁ ଅଳ୍ପ ତଳକୁ ଖସି ଯାଇଥିଲେ। ତେବେ କ୍ୟାମେରାମ୍ୟାନଙ୍କୁ ବଞ୍ଚାଇବାକୁ ଯାଇ ସେ ନିଜର ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ତାଙ୍କ ମୃତଦେହକୁ ମସ୍କୋକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି।
ଆରଟିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଘଟଣା ସମ୍ପର୍କରେ ସୂଚନା ଦେବାକୁ ଯାଇ ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି ଯେ ଡ୍ୟୁଟିରେ ଥିବା ସମୟରେ ୫୫ ବର୍ଷିୟ ୟେଭେନି ଜିନିଚେଭଙ୍କର ମୃତ୍ୟୁ ଘଟିଛି। ବୁଧବାର ଦିନ ସେ ଆର୍କଟିକ୍ ଅଞ୍ଚଳକୁ ଭ୍ରମଣ କରିବାକୁ ଯାଇଥିବା ବେଳେ ଜରୁରୀକାଳୀନ ପରିସ୍ଥିତିରୁ ରକ୍ଷା କରିବା ପାଇଁ ବିଭିନ୍ନ ବିଭାଗ ସହିତ ଆନ୍ତ – ଏଜେନ୍ସି ଡ୍ରିଲ୍ କରୁଥିବା ସମୟରେ ଏହି ଘଟଣା ଘଟିଛି। ଏହି ସମୟରେ ସେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଗୁରୁତର ଆହତ ହୋଇ ଡାକ୍ତରଖାନା ଭର୍ତ୍ତି ହୋଇଥିଲେ। କିନ୍ତୁ ମେଡ଼ିକାଲରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଅନୁସାରେ, ଜରୁରୀକାଳୀନ ମନ୍ତ୍ରୀ ୟେଭେନି ଜିନିଚେଭ ପାହାଡ଼ର ଏକ ଶିଖର ଧାରରେ ଠିଆ ହୋଇଥିଲେ । ଠିକ ସେହି ସମୟରେ ଜଣେ କ୍ୟାମେରାମ୍ୟାନ ପାହାଡ଼ରୁ ଖସି ଯାଇଥିଲେ। ତେବେ ତାଙ୍କୁ ବଞ୍ଚାଇବା ପାଇଁ ଜିନିଚେଭ ଶିଖରରୁ ଡେଇଁ ପଡ଼ିଥିଲେ। ଏହି ସମୟରେ ସେ ଅନ୍ୟ ଏକ ପଥର ସହିତ ଧକ୍କା ଖାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ସଂଗେ ସଂଗେ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା।