ନୂଆଦିଲ୍ଲୀ : ବ୍ୟାଙ୍କ ଓ ଅର୍ଥନୀତିର ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ମାମଲାର ଯେ ଖୁବ ଶୀଘ୍ର ସମାଧାନ ହୋଇଯିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ବି ଆଶ୍ୱାସନା ଦେଇଛନ୍ତି । ଏହା ସହିତ ଜମାକାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ରିଜର୍ଭ ବ୍ୟାଙ୍କ ଆବଶ୍ୟକ ପଦକ୍ଷେପମାନ ନେଇଛନ୍ତି ବୋଲି ମଧ୍ୟ ସେ କହିଛନ୍ତି ।
ଗତକାଲି ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସକୁ ଭାଙ୍ଗି ଦେଇଛନ୍ତି । ଜମାକାରୀମାନଙ୍କ ପାଇଁ ମାସିକ ଜମା ଉଠାଣକୁ ୫୦ହଜାର ଟଙ୍କା ମଧ୍ୟରେ ସୀମିତ ରଖିବା ସହିତ ବ୍ୟାଙ୍କ କାହାକୁ କୌଣସି ନୂଆ ଋଣ ଦେଇପାରିବେ ନାହିଁ କିମ୍ବା କେହି ବ୍ୟାଙ୍କରେ ନୂଆ ନିବେଶ କରିପାରିବେ ନାହିଁ ।
ୟେସ ବ୍ୟାଙ୍କର ପରିଚାଳନା ପାଇଁ ରିଜର୍ଭ ବ୍ୟାଙ୍କ ଏସ.ବି.ଆଇ.ର ପୂର୍ବତନ ମୁଖ୍ୟ ଅର୍ଥ ଅଧିକାରୀ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ନିଯୁକ୍ତ କରିଛି । ୟେସ ବ୍ୟାଙ୍କ ବିରୁଦ୍ଧରେ ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ପରେ ଶେୟାର ବଜାରରେ ୟେସ ବ୍ୟାଙ୍କର ଶେୟାର ହ୍ରାସ ପାଇଛି ।