ସଂସ୍କାର: ବାଇକରେ ବସି ବୁଲିବା ଶିଶୁଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଚାହାନ୍ତି। କିନ୍ତୁ ବାଇକରେ ବସି ବୁଲିବା ପୂର୍ବରୁ ସଡକ ନିୟମ ଅନେକ ରହିଛି। ଯାହାକୁ ଦେଖିବା ଓ ମାନିବା ଅତ୍ୟନ୍ତ ଜରୁରୀ। ଏହି ନିୟମ ବିଭିନ୍ନ ବର୍ଗ ପାଇଁ ଭିନ୍ନ ଭିନ୍ନ ହୋଇଥାଏ।

ଏହି କ୍ରମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ନିୟମ ଜାରି କରାଯାଇଛି। ନୂଆ ନିୟମ ଅନୁଯାୟୀ ଯଦି ବାଇକରେ ଆପଣ ୪ ବର୍ଷ ବା ତା’ଠାରୁ କମ୍ ବୟସର ପିଲାଙ୍କୁ ବସାଉଛନ୍ତି, ତେବେ ଆପଣ ସାବଧାନ ହୋଇଯାଆନ୍ତୁ। ଏ କ୍ଷେତ୍ରରେ ଆପଣ ଘଣ୍ଟା ପ୍ରତି ୪୦ କିମିରୁ ଅଧିକ ବେଗରେ ଯାଇପାରିବେ ନାହିଁ। ଛୋଟ ପିଲାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପ୍ରସ୍ତାବ ଦିଆଯାଇଛି ।
ତେବେ ପ୍ରସ୍ତାବରେ କୁହାଯାଇଛି ଯେ, ବାଇକରେ ବସୁଥିବା ପିଲାଙ୍କ ବୟସ ୯ ମାସରୁ ୪ ବର୍ଷ ମଧ୍ୟରେ ହୋଇଥିଲେ ଅନେକ ନିୟମ ମାନିବାକୁ ପଡ଼ିବ। ଆପଣମାନେ ୪୦ କିମିରୁ ଅଧିକ ବେଗରେ ଗାଡ଼ି ଚଳାଇ ପାରିବେ ନାହିଁ । ପିଲାଙ୍କୁ କ୍ରେଶ ହେଲମେଟ ପିନ୍ଧାଇବା ସହିତ ସୁରକ୍ଷା ହର୍ଣ୍ଣସର ବ୍ୟବହାର କରିବା ଉଚିତ ।

ଗମ୍ଭୀର ଆଘାତ ଲାଗିବା କ୍ଷେତ୍ରରେ ଏହି ସେଫଟି ହର୍ଣ୍ଣସ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ। ଏକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତ୍ୟେକ ବର୍ଷ ୧.୫ ଲକ୍ଷରୁ ଅଧିକ ମୃତ୍ୟୁ ସଡ଼କ ଦୁର୍ଘଟଣା କାରଣରୁ ଘଟିଥାଏ। ସେହିପରି ୨୦୧୯ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୩୭ ପ୍ରତିଶତ ଦୁଇଚକିଆ ଚାଳକ ଥିଲେ ଓ ସେମାନଙ୍କ ମଧ୍ୟରୁ ୪୪ ହଜାର ୬୬୬ ଜଣଙ୍କ ମୃତ୍ୟୁ ବିନା ହେଲମେଟ କାରଣରୁ ଘଟିଥିଲା । ତେବେ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାରୁ ଏଥିପ୍ରତି ସାଧାରଣ ଜନତା ଅଧିକ ସଚେତନ ହେବା ଜରୁରୀ ବୋଲି କୁହାଯାଇଛି। ତେଣୁ ଏହି ନୂଆ ନିୟମ ଲାଗୁ କରାଯାଇଛି।