ଉତ୍ତରପ୍ରଦେଶର ନୋଏଡା ସ୍ଥିତ ଗୌତମ ବୁଦ୍ଧ ନଗରର ସେକ୍ଟର ୬୩ ରେ ଥିବା ଏକ ହସ୍ପିଟାଲ ବାହାରେ ମିଳିଛି ଗୋଟିଏ ସନ୍ଦେହଜନକ ସାମଗ୍ରୀ । ଏହା ବୋମା ପରି ଦିଶୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଗଲା । ତେବେ ଶୁକ୍ରବାର ସକାଳେ ମିଳିଥିବା ଏହି ସାମଗ୍ରୀ କୌଣସି ସନ୍ଦେହଜନକ ବିସ୍ଫୋରକ ନୁହେଁ ବୋଲି ପୋଲିସ ସ୍ପଷ୍ଟ କରିଛି ।
ସୂଚନା ଅନୁଯାୟୀ ଖବର ମିଳିଲା ପରେ ପୋଲିସ ଏବଂ ବୋମା ନିଶ୍ଚେତକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଏହି ସନ୍ଦେହ ଜନକ ସାମଗ୍ରୀକୁ ସେଠାରୁ ହଟାଇ ଦିଆଯାଇଛି । ଏନେଇ ପୋଲିସ କମିଶନର ଆଲୋକ ସିଂ କହିଛନ୍ତି ଯେ ‘ଆମେ ଏହି ଅଞ୍ଚଳକୁ କର୍ଡନ କରିଥିଲୁ ।’
ସୂଚନାଥାଉ ଯେ ନୋଏଡା ସେକ୍ଟର ୨୭ ର କୈଳାସ ହସ୍ପିଟାଲକୁ ଅଜ୍ଞାତ ବୋମା ଧମକ ମିଳିବାର ମାତ୍ର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି ସେକ୍ଟର ୬୩ ରେ । ସେପଟେ ବିଶେଷଜ୍ଞମାନେ ଯାଞ୍ଚ କରି କହିଛନ୍ତି ଯେ ମିଳିଥିବା ସନ୍ଦେହଜନକ ସାମଗ୍ରୀ ବିସ୍ଫୋରକ ନୁହେଁ ।
ତେବେ ପୋଲିସ କମିଶନର ଆଲୋକଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି ସେକ୍ଟର ୨୭ର କୈଳାସ ହସ୍ପିଟାଲର ଲ୍ୟାଣ୍ଡଲାଇନ ନମ୍ବରକୁ ଫୋନ କରି ବିଲ୍ଡିଂର ତଳ ମହଲାରେ ଏକ ବୋମା ରଖାଯାଇଛି ବୋଲି ସୂଚନା ଦେଇଥିଲେ । ପରବର୍ତ୍ତୀ ସମୟରେ ତାହା ଏକ ଫେକ୍ କଲ୍ ଥିଲା ବୋଲି ଜଣାପଡ଼ିଥିଲା । ତଥାପି ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ କଲ୍ କରୁଥିବା ବ୍ୟକ୍ତିଙ୍କୁ ଟ୍ରାକ୍ କରିବାକୁ ଚେଷ୍ଟା ଜାରି ରହିଛି ।