ଷ୍ଟେଜ୍ ଉପରେ ବରର ଠିଆ ହେବା ଶୈଳୀ ଦେଖି କନ୍ୟା ବରକୁ ପଚାରିଲା ଦୁଇକ ପଣକିଆ, ଆଉ ତା’ପରେ …

ବିବାହ ଜୟମାଳା ସମୟରେ ପ୍ରାୟତଃ ଗଣ୍ଡଗୋଳ ଏବଂ ଏହା ବଢିବା କାରଣରୁ ବିବାହ ଭାଙ୍ଗିବା କଥା ବି ଶୁଣିଥିବେ । କିନ୍ତୁ ଆପଣ କେବେ ଶୁଣି ନଥିବେ ଯେ କନ୍ୟାର ପ୍ରଶ୍ନର ଉତ୍ତର ନଦେଇ ପାରିବାରୁ କନ୍ୟା ବିବାହ ପାଇଁ ମନା କରିଦେଲା । ଘଟଣାଟି ଉତ୍ତର ପ୍ରଦେଶର ମହୋବା ଜିଲ୍ଲାର । ବାସ୍ତବରେ, ଶିକ୍ଷିତ କନ୍ୟା ଜଣକ ବରକୁ ଦୁଇକ ପଣିକିଆ ପଚାରିଦେଲେ । ହେଲେ ବର ଦୁଇକ ପଣିକିଆ କହିପାରି ନଥିଲେ । ଏହାପରେ କନ୍ୟା ଏ ବିବାହକୁ ମନା କରିଦେଇଥିଲେ । ଘଣ୍ଟା ଘଣ୍ଟା ଧରି କାକୁତିମିନତି କରାଗଲା ହେଲେ କୌଣସି ଶୁଭଫଳ ମିଳିଲାନି । ମାମଲା ଯାଇ ଥାନାରେ ପହଞ୍ଚିଥିଲା । ଶେଷରେ କିନ୍ତୁ ବଧୂ ନନେଇ ଫେରିଥିଲେ ବରଯାତ୍ରୀ ।

ଏହି ମାମଲା ଖରେଲା ଥାନା ଅନ୍ତର୍ଗତ ବଲାୟା ଗାଁର । ଏଠାରେ ରହୁଥିବା ରତିରାମ ଅହିରୱର ତାଙ୍କ ଝିଅ ମାୟାଙ୍କ ବିବାହ ମହୋବକଣ୍ଠ ଥାନା ଅଞ୍ଚଳର ଧାୱର ଗାଁର ବାସିନ୍ଦା ରଞ୍ଜିତ ଅହିରୱାରଙ୍କ ପୁଅ ରାମକିଶୁନଙ୍କ ସହିତ କରିବାକୁ ନିଷ୍ପତ୍ତି ନେଇଥିଲେ । ଅପ୍ରେଲ ୩୦ ରେ ଏହି ବିବାହ ହୋଇଥାନ୍ତା, ତେଣୁ ବର ବରଯାତ୍ରୀ ନେଇ ବଲାୟା ଗାଁରେ ପହଞ୍ଚିଥିଲେ । ହେଲେ ଯେତେବେଳେ ବର ଷ୍ଟେଜ୍ ଉପରକୁ ଉଠିଲେ ଏବଂ ତାଙ୍କ ଠିଆ ହେବାର ଶୈଳୀ ଦେଖି କନ୍ୟା ମାୟା ସନ୍ଦେହ କଲେ । ବର ଜଣକ ଅଶିକ୍ଷିତ ସନ୍ଦେହ କରି ଷ୍ଟେଜ୍ ଉପରେ ହିଁ ତାଙ୍କୁ ଦୁଇକ ପଣିକିଆ ପଚାରିଥିଲେ । ଏହାପରେ ସତ ସାମ୍ନାକୁ ଆସିଲା ଏବଂ କନ୍ୟା ବରକୁ ବିବାହ କରିବାକୁ ସଫା ମନା କରିଦେଲେ ।

ପ୍ରତୀକାତ୍ମକ ଫଟୋ

କନ୍ୟାର ଏ ନିଷ୍ପତ୍ତି ସେଠାରେ ହଟଚମଟ ସୃଷ୍ଟି କଲା । ଉଭୟ ପକ୍ଷର ଲୋକେ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କନ୍ୟା ଜିଦ୍‌ ଧରିଥିଲେ । ପରେ ମାମଲା ଥାନା ଯାଏଁ ଗଲା । ପୋଲିସ ଦୁଇ ପକ୍ଷକୁ ସମନ୍ୱୟ କରାଇ କନ୍ୟା ପକ୍ଷ ବିବାହ ପାଇଁ ଖର୍ଚ୍ଚ କରିଥିବା ୪ ଲକ୍ଷ ଟଙ୍କା ସେମାନଙ୍କୁ ଫେରସ୍ତ କରାଇଲେ । କନ୍ୟା ନିଷ୍ପତ୍ତିକୁ ଲୋକମାନେ ପ୍ରଶଂସା କରିଥିବାବେଳେ ସ୍ଥାନୀୟ ଲୋକେ କହିଥିଲେ ଯେ ଏ ବିଷୟରେ ଉଚିତ୍ ତଦାରଖ ବିବାହ ପୂର୍ବରୁ କରିବାର ଥିଲା । ଥାନା ଦାୟିତ୍ୱରେ ଥିବା ବିନୋଦ କୁମାର ଯାଦବ କହିଛନ୍ତି ଯେ କନ୍ୟା ଏବଂ ବର ମଧ୍ୟରେ ବିବାଦ ହେତୁ ଏହି ବିବାହ ହୋଇପାରିଲା ନାହିଁ, ତେବେ ପରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା ।

Leave a Reply

Your email address will not be published. Required fields are marked *