ମୁମ୍ବାଇ: ମହାରାଷ୍ଟ୍ରର ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ନେଇ ଏଇ କେଇ ମାସ ହେବ ହିନ୍ଦୀ ଅଭିନେତା ସୋନୁ ସୁଦ କ୍ରମାଗତ ଭାବରେ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଟାର୍ଗେଟ କରିଥିଲେ । ବିବାଦ ଘନେଇବାରୁ ସୋନୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ ।
ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ପାଇଁ ଡ୍ରାଇଭକୁ ନେଇ ତେଜିଥିବା ବିବାଦକୁ ନେଇ ଏକ ସାକ୍ଷାତକାରରେ ସୋନୁ ସୁଦ କହିଛନ୍ତି ଯେ ସଞ୍ଜୟ ରାଉତ ବହୁତ ବରିଷ୍ଠ, ତାଙ୍କୁ ସେ ସମ୍ମାନ କରନ୍ତି । ଗତକାଲି ରାତିରେ ଅଢେଇ ହଜାର ଲୋକ ଉତ୍ତରପ୍ରଦେଶ ଯାଇଛନ୍ତି । ଆଜି ସକାଳେ ଆସାମ ଅଭିମୁଖେ ବିମାନ ଯାତ୍ରା କରିଛି । କାମ ଚାଲିଛି କିପରି ସମସ୍ତେ ଘରେ ପହଂଚିବେ ଓ ପରିବାର ସଦସ୍ୟଙ୍କୁ ଭେଟିବେ । ଉଦ୍ଧବ ସାର ଏବଂ ଆଦିତ୍ୟ ଠାକରେ ବହୁତ ସହଯୋଗୀ ।

ଉଦ୍ଧବ ଠାକରେଙ୍କ ସହ ବାର୍ତ୍ତାଳାପକୁ ନେଇ ସୋନୁ କହିଛନ୍ତି ଯେ ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆମ ସାଙ୍ଗରେ ଅଛନ୍ତି ଏବଂ ଯେକୌଣସି ସାହାଯ୍ୟ ଦରକାର ହେଲେ ତାଙ୍କୁ କହିବାକୁ ବି କହିଛନ୍ତି । ସେ ସତରେ ଧନ୍ୟବାଦର ଅଧିକାରୀ । ପୋଲିସ ବାନ୍ଦ୍ରା ରେଳ ଷ୍ଟେସନରେ ପ୍ରବେଶକୁ ଅଟକାଇବା ପରେ ସୋନୁ କହିଛନ୍ତି ଯେ ଲୋକମାନେ ଯାଉଥିଲେ ଯେଉଁମାନଙ୍କ ଟ୍ରେନ୍ ବୁକ୍ ସେ କରିଥିଲେ । ପ୍ରାୟ ଅଢେଇ ହଜାର ଲୋକ ଥିଲେ ଯେଉଁମାନଙ୍କୁ ଘରକୁ ପଠାଇବା ଦାୟିତ୍ଵ ମୋର ଥିଲା । ମୁଁ ଜାଣେ ପ୍ଲାଟଫର୍ମରେ ହୁଏତ ଅସୁବିଧା ହୋଇପାରେ । ସେଠାରେ RPF ଏବଂ GRP ଅନୁରୋଧ କରିଛନ୍ତି ଯେ ମୁଁ ପ୍ଲାଟଫର୍ମକୁ ଯିବା ଉଚିତ୍ ନୁହେଁ ।
ବିଜେପି ପାଇଁ କାମ କରୁଥିବା ନେଇ ଅଭିଯୋଗ ଉପରେ ସୋନୁ ସୁଦ କହିଛନ୍ତି ଯେ ମୋର ଲକ୍ଷ୍ୟ କେବଳ ପ୍ରବାସୀଙ୍କୁ ଘରେ ପହଞ୍ଚାଇବା । କୌଣସି ଦଳ ସହିତ ମୋର କିଛି ସମ୍ପର୍କ ନାହିଁ । ମୁଁ ଜଣେ କଳାକାର, ଜୀବନରେ ଆହୁରି ଅନେକ କିଛି କରିବାକୁ ବାକି ଅଛି । ସେଥିପାଇଁ ମୁଁ ଏହି ସହରକୁ ଆସିଛି । ଏବେ ପାଇଁ କିନ୍ତୁ ଗୋଟିଏ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଯେ ସମସ୍ତେ କିପରି ନିଜ ଘରେ ପହଞ୍ଚିବେ ।