ସିଓଲ୍ : ଶୁକ୍ରବାର ଦିନ ରିପୋର୍ଟ ଅନୁଯାୟୀ ଦକ୍ଷିଣ କୋରିଆରେ ସୁସ୍ଥ ହୋଇ ଘରକୁ ଫେରିଥିବା ୯୧ଜଣ କରୋନାଭାଇରସ ରୋଗୀ ପୁଣିଥରେ କୋଭିଡ଼-୧୯ରେ ସଂକ୍ରମିତ ହେବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସାମ୍ନାରେ ପ୍ରଶ୍ନ ଠିଆ କରିଛି । ଏହି ଭାଇରସ ଦ୍ଵାରା ପୁନର୍ବାର ସଂକ୍ରମିତ ହେବାର ଆଶଙ୍କା ଆନ୍ତର୍ଜାତୀୟ ସ୍ତରରେ ଚିନ୍ତାର କାରଣ ପାଲଟିଛି ।
ଦକ୍ଷିଣ କୋରିଆରେ କରୋନାଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ୧୦,୪୫୦ । ସେମାନଙ୍କ ଭିତରେ ୭,୧୧୭ ଜଣ ସୁସ୍ଥ ହୋଇଥିବାବେଳେ ୨୦୮ ଜଣଙ୍କର ମୃତ୍ୟୁ ଘଟିଛି । ଏହାଛଡ଼ା ୩,୧୨୫ ଜଣ ଚିକିତ୍ସାଧୀନ ରହିଛନ୍ତି । ଅନ୍ୟର୍ଥରେ କହିହେବ ଯେ ଦକ୍ଷିଣ କୋରିଆ ଏମିତି ଏକ ଦେଶ ଯିଏକି କରୋନାକୁ ରୋକିବାରେ ଗୋଟେ ପ୍ରକାର ସଫଳତା ହାସଲ କରିଛି ।
ପ୍ରାଥମିକ ଭାବରେ ଏହି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲା ହେଲେ ସରକାରଙ୍କ ଦ୍ଵାରା ଲାଗୁ କରାଯାଇଥିବା ନିୟମକୁ ମାନି ସେଠାକାର ଲୋକମାନେ ଏକ ପ୍ରକାର ଭଲରେ ଅଛନ୍ତି । ଅଧିକରୁ ଅଧିକ ସଂଖ୍ୟାରେ କରୋନା ପରୀକ୍ଷା ହେବାରୁ ଏଠାରେ ମୃତ୍ୟୁ ସଂଖ୍ୟା ତୁଳନାରେ ସୁସ୍ଥ ହେବା ହାର ଅଧିକ ରହିଛି । ହେଲେ ଶୁକ୍ରବାର ଦିନ ସୁସ୍ଥ ହୋଇଥିବା ୯୧ ଜଣ ପୁଣିଥରେ କରୋନାରେ ଆକ୍ରାନ୍ତ ହେବା ସାରା ବିଶ୍ଵକୁ ଚକିତ କରିଦେଇଛି ।
ଏହି ସଂଖ୍ୟା କେବଳ ବଢିବ ଓ ୯୧ ବର୍ତ୍ତମାନ ଆରମ୍ଭ ମାତ୍ର ବୋଲି କୋରିଆ ବିଶ୍ୱବିଦ୍ୟାଳୟ ଗୁରୋ ହସ୍ପିଟାଲର ସଂକ୍ରାମକ ରୋଗର ପ୍ରଫେସର କିମ ୱୋ-ଜୋ କହିଛନ୍ତି । ରୋଗୀମାନେ ପୁନର୍ବାର ସଂକ୍ରମିତ ହେବା ପରିବର୍ତ୍ତେ, ହୁଏତ ଭାଇରସ ପୁନଃସକ୍ରିୟ ହୋଇଯାଇ ଥାଇପାରେ ବୋଲି ଚିନ୍ତା କରାଯାଉଛି । ପରୀକ୍ଷଣର ଫଳାଫଳ ମଧ୍ୟ ଭୁଲ ଥାଇପାରେ । କିନ୍ତୁ ଭାଇରସର ଅବଶିଷ୍ଠାଂଶ ରୋଗୀମାନଙ୍କ ସିଷ୍ଟମରେ ରହି ଥାଇପାରେ କିନ୍ତୁ ତାହା ସଂକ୍ରାମକ, ହୋଷ୍ଟ କିମ୍ବା ଅନ୍ୟମାନଙ୍କ ପାଇଁ ବିପଦଜନକ ନୁହେଁ ବୋଲି ଅନ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।