ଦିନକୁ ଦିନ ପିଲାଠାରୁ ବୁଢା ଯାଏଁ ସବୁ ବର୍ଗର ଲୋକ ଚେହେରା, କେଶ ଶଯ୍ୟା, ପୋଷାକ ଭଳି ବାହ୍ୟ ପ୍ରଦର୍ଶନକୁ ନେଇ ବେଶୀ ଗୁରତ୍ୱ ଦେଉଛନ୍ତି, ନୂଆ ନୂଆ କୌଶଳ ଆପଣେଇବା ସହିତ ନୂତନ ପ୍ରୟୋଗମାନ ବି କରୁଛନ୍ତି ନିଜ ଉପରେ । ତେବେ ଏହା ଯେ କେତେ ଘାତକ ହୋଇପାରେ ତାହାର ଉଦାହରଣ ପାଲଟି ଯାଇଛନ୍ତି କେରଳର ଥିରୁବନନ୍ତପୁରମର ଭେଙ୍ଗାନୁରରେ ରହୁଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ର । ୧୨ ବର୍ଷର ଏହି କିଶୋର ଜଣକ ନିଜ କେଶ ସିଧା କରିବାକୁ ଯାଇ ମୁଣ୍ଡରେ କିରୋସିନ ସ୍ପ୍ରେ କରି ନିଆଁ ଲଗାଇ ଦେଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ବୁଧବାର ଦିନ ସୂଚନା ଦେଇଛି ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ ମୃତକ କିଶୋରଙ୍କ ନାଁ ଶିବ ନାରାୟଣ ଏବଂ ସେ ସପ୍ତମ ଶ୍ରେଣୀରେ ପଢୁଥିଲେ । ଗତକାଲି ଅର୍ଥାତ ମଙ୍ଗଳବାର ଦିନ ସେ ତାଙ୍କ କେଶକୁ ସିଧା କରିବାକୁ ଏକ ପ୍ରୟୋଗ କରିଥିଲେ । କିରୋସିନି ଛିଞ୍ଚି ଏକ ଜଳୁଥିବା ଏକ ଦିଆସିଲି କାଠିରେ କେଶକୁ ସିଧା କରିବାକୁ ଚେଷ୍ଟା କରିଥିଲେ ।
ତେବେ ପୋଲିସ ଦେଇଥିବା ତଥ୍ୟ ଅନୁସାରେ ମୃତକ ଶିବନାରାୟଣ ସୋସିଆଲ ମିଡ଼ିଆ ପାଇଁ ପାଗଳ ଥିଲେ ଏବଂ ପ୍ରାୟତଃ କେଶକୁ ସିଧା କରିବା ପାଇଁ ନିଆଁ ବ୍ୟବହାର କରୁଥିବା ଲୋକଙ୍କ ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି, ଭାଇରାଲ ହେଉଛି । ଏହି ହୃଦୟବିଦାରକ ଦୁର୍ଘଟଣା ପରେ ପୀଡ଼ିତଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣା ସମୟରେ ଘରେ କେବଳ ମୃତକଙ୍କ ଜେଜେମା’ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି ।