ପିପିଲ ଉପ-ନିର୍ବାଚନକୁ ଥିଲା ମାତ୍ର ୩ ଦିନ । ମାତ୍ର ଆଜି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଘଟିଛି ପରଲୋକ । ୧୭ ତାରିଖରେ ହେବାକୁ ଥିବା ପିପିଲ ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥାନ୍ତା ହେଲେ ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁ ଉପ-ନିର୍ବାଚନ ବନ୍ଦ ହୋଇ ଯାଇପାରେ ବୋଲି ସନ୍ଦେହ କରାଯାଉଛି । ଖୁବ୍ ଶୀଘ୍ର ନିର୍ବାଚନ କମିଶନର ନିବାର୍ଚନ ବନ୍ଦ ନେଇ ଆନୁଷ୍ଠାନିକ ଘୋଷଣା କରିପାରନ୍ତି ।
ତେବେ ଜନପ୍ରତିନିଧି ଆଇନ ୧୯୫୧ର ସେକ୍ସନ୍ ୫୨ର ବ୍ୟବସ୍ଥା ଅନୁଯାୟୀ, ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କର ଯଦି ମତଦାନ ପୂର୍ବରୁ ଦେହାନ୍ତ ହୁଏ, ନିର୍ବାଚନ କମିଶନ ସ୍ୱତନ୍ତ୍ର କ୍ଷମତା ବଳରେ ନିର୍ବାଚନକୁ ସ୍ଥଗିତ କରିପାରିବେ । ଦୁର୍ଭାଗ୍ୟ ବଶତଃ ବର୍ତ୍ତମାନ ପିପିଲି ଉପ-ନିର୍ବାଚନରେ ସେପରି ସ୍ଥିତି ସୃଷ୍ଟି ହେଇଛି ଏବଂ ଅନୁରୂପ ନିଷ୍ପତ୍ତି ନିଆଯିବାର ସମ୍ପୂର୍ଣ୍ଣ ସମ୍ଭାବନା ମଧ୍ୟ ଦେଖାଦେଇଛି ।
![](https://sanskarnetwork.in/odia/wp-content/uploads/2021/04/balad.jpg)
ସୂଚନାଥାଉ ଯେ ଗତ ୭ ତାରିଖ ଦିନ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ନିଜ ଗାଁ ମୋଟରୀ ଆଙ୍କୋଇକୁ ପ୍ରଚାର କରିବା ପାଇଁ ଯାଉଥିଲେ ଏବଂ ସେହି ସମୟରେ ସେ ତଳେ ପଡ଼ି ଯାଇଥିଲେ । ତାଙ୍କୁ ତୁରନ୍ତ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଜଣାପଡ଼ିଥିଲା ଯେ ସେ କରୋନା ଆକ୍ରାନ୍ତ । ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲ ହସ୍ପିଟାଲ୍କୁ ତାଙ୍କୁ ସ୍ଥାନାନ୍ତରିତ ମଧ୍ୟ କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଛି । ସେପଟେ ତାଙ୍କ ବିୟୋଗରେ ପିପିଲିରେ ଶୋକର ଛାୟା ଖେଳିଯାଇଛି ।
ଏ ଘଟଣାରେ ମର୍ମାହତ ହୋଇ ଟ୍ଵିଟ କରି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର ସମସ୍ତେ ସମବେଦନା ଜଣାଇବା ସହିତ ରାଜନୈତିକ ଜୀବନରେ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ।