ସଂସ୍କାର: ରୁଷ୍ ଆଉ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତକୁ ମିଳିଛି ଏକ ଦମଦାର ଅଫର୍। ଅଫର୍ ଦେଇଛନ୍ତି ରୁଷ୍ ରାଷ୍ଟ୍ରପତି ପୁଟିନ୍। ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭ ହେବାଠାରୁ ପୁଟିନ୍ ସରକାର ଋଷ ଆମଦାନୀ କରୁଥିବା ଜିନିଷ ଉପରେ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ଏହି ଆମଦାନୀ ଜିନିଷକୁ ନେଇ ଭାରତକୁ ଏକ ବଡ଼ ଅଫର୍ ଦେଇଛି ରୁଷ୍। ଆଉ ରୁଷର ଏହି ପ୍ରସ୍ତାବ (ଅଫର୍) ଉପରେ ଭାରତ ସରକାର ମଧ୍ୟ ଆଲୋଚନା ଆରମ୍ଭ କରିଛନ୍ତି। ତେବେ, ଡଲାରରେ ପେମେଣ୍ଟ ବନ୍ଦ ହେବା ଯୋଗୁଁ ଋଷର କେନ୍ଦ୍ରୀୟ ବ୍ୟାଙ୍କ ପେମେଣ୍ଟର ଏକ ନୂଆ ସିଷ୍ଟମ ବିକଶିତ କରିଛି । ଭାରତ ମୁଖ୍ୟତଃ ଋଷରୁ ଅଶୋଧିତ ତୈଳ (Crude oil) ଏବଂ ଅସ୍ତ୍ରଶସ୍ତ୍ର (Weapons) ଆମଦାନି କରିଥାଏ । ଏହା ବ୍ୟତୀତ ୟୁକ୍ରେନରୁ ଯୋଗାଣ ବ୍ୟାଘାତ ହେବା ଯୋଗୁଁ ଏହି ମାସରେ ଭାରତ ଋଷରୁ ସୂର୍ଯ୍ୟମୁଖୀ ତେଲର ଏକ ବଡ଼ କାରବାର କରିବାକୁ ଚୁକ୍ତି କରିଛି ।
ଜାତୀୟ ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଋଷର ମେସେଜିଂ ସିଷ୍ଟମ (SPFS) ବ୍ୟବହାର କରି ଭାରତ ରୂପୀ-ରୁବଲରେ ପେମେଣ୍ଟ କରିପାରିବ । ତେବେ ଏପର୍ଯ୍ୟନ୍ତ ଭାରତ ସରକାର ଏହି ପ୍ରସ୍ତାବ ଉପରେ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ଏହା ଉପରେ ବିଚାରବିମର୍ଷ ହେଉଛି। ଋଷର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ଭାରତ ଆସିଛନ୍ତି । ତେବେ ବର୍ତ୍ତମାନ ଏହି ପ୍ରସ୍ତାବ ଉପରେ ବିଚାର କରାଯିବ ବୋଲି ଆଶା କରାଯାଉଛି । ଏହାର ପ୍ରତିବଦଳରେ ଋଷ ଠାରୁ କମ୍ ମୂଲ୍ୟରେ ଅଶୋଧିତ ତୈଳ ମିଳିବ। ଯଦି ଏହା ଘଟେ ତେବେ ଏହା ଭାରତ ପାଇଁ ଏକ ବଡ଼ ଲାଭଦାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ଏହି ପ୍ରସ୍ତାବ ଅନୁଯାୟୀ ଋଷର ମୁଦ୍ରା ରୁବେଲ ଭାରତୀୟ ବ୍ୟାଙ୍କରେ ଜମା ହେବ ଏବଂ ଏହାକୁ ଭାରତୀୟ ମୁଦ୍ରା ଟଙ୍କାରେ ପରିଣତ କରାଯିବ । ସେହିଭଳି ରୂପେକୁ ରୁବଲରେ ପରିଣତ କରି ଦେୟ ପ୍ରଦାନ କରାଯିବ । ଏହା ବ୍ୟତୀତ, ରୁଷ ଭାରତୀୟ ଏବଂ ରୁଷିଆ ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା କାର୍ଡଗୁଡ଼ିକୁ MIR ପେମେଣ୍ଟ ସିଷ୍ଟମ ସହିତ ସଂଯୋଗ କରିବାକୁ ଚାହୁଁଛି ।
ଅନ୍ୟପକ୍ଷରେ, ଋଷର ଅସ୍ତ୍ର ଉପରେ ଭାରତୀୟ ସେନାର ନିର୍ଭରଶୀଳତା ଏବଂ ଆନ୍ତର୍ଜାତୀୟ ମୂଲ୍ୟରେ ବୃଦ୍ଧି ଯୋଗୁଁ ଭାରତ ଋଷରୁ ଶସ୍ତା ତେଲ କିଣିବାକୁ ଆଗ୍ରହୀ ଅଟେ । ଋଷ ଉପରେ ଆନ୍ତର୍ଜାତୀୟ ପ୍ରତିବନ୍ଧକ ସତ୍ତ୍ୱେ ଶସ୍ତା ତୈଳ ଆଶାରେ ଭାରତ ଦ୍ୱିପାକ୍ଷିକ ବାଣିଜ୍ୟ ଜାରି ରଖିବାକୁ ଚାହୁଁଛି । ଏଥିସହିତ ଭାରତ- ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶମାନଙ୍କୁ କହିଛି ଯେ ଚୀନ୍ର ସାମରିକ ଆକ୍ରୋଶ ଯୋଗୁଁ ଭାରତ ଋଷରୁ ଅସ୍ତ୍ରଶସ୍ତ୍ର କ୍ରୟ ଜାରି ରଖିବ । ଯଦି ଋଷର ଏହି ଅଫରକୁ ଭାରତ ଗ୍ରହଣ କରିନିଏ, ତେବେ ଏହା ଦ୍ୱାରା କେବଳ ଭାରତର ବୈଦେଶିକ ମୁଦ୍ରା ସଞ୍ଚୟ କରିବ ନାହିଁ ବରଂ ଭାରତୀୟ ମୁଦ୍ରାକୁ ଆହୁରି ସୁଦୃଢ଼ ହୋଇଯିବ।