ସଂସ୍କାର : ଆଫଗାନିସ୍ତାନରେ ତାଲିବାନମାନେ ଶାସନ କରିବା ପରଠାରୁ ଦେଶରେ ଶାନ୍ତି ନାହିଁ। ଆତଙ୍କୀମାନେ ଗୋଟିଏ ପରେ ଗୋଟିଏ ଭୟାନକ କାଣ୍ଡ ଘଟାଉଛନ୍ତି। ଏହାରି ମଧ୍ୟରେ ନିକଟରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଆମେରିକାର ଅନେକ ସୈନ୍ୟ ମୃତ୍ୟୁବରଣ କରିଥିଲେ। ତେବେ ଏହାର ପ୍ରତିଶୋଧ ନେବାକୁ ଯାଇ ଆମେରିକା ଏକ ବଡ଼ ପଦକ୍ଷେପ ନେଇଛି। କାବୁଲ ବିସ୍ଫୋରଣର ମାତ୍ର ୪୮ ଘଣ୍ଟା ମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା।
![](https://sanskarnetwork.in/odia/wp-content/uploads/2021/08/america.jpg)
ଅନ୍ତର୍ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ ଆଇଏସ୍ଆଇଏସ୍ -କେ ‘ପ୍ଳାନ୍ର’ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରିଛି ଆମେରିକା। ୟୁଏସ୍ ସେଣ୍ଟ୍ରାଲ କମାଣ୍ଡ ମୁଖପାତ୍ରଙ୍କ କହିବାନୁଯାୟୀ ଆଫଗାନିସ୍ତାନର ନାନଗହର ପ୍ରଦେଶରେ ଏହି ଆମେରିକା ପକ୍ଷରୁ ଏହି ଏୟାରଷ୍ଟ୍ରାଇକ୍ କରାଯାଇଛି । ତେବେ ଏହି ଆକ୍ରମଣରେ ଆତଙ୍କବାଦୀ ନିହତ ହୋଇଥିବା ବେଳେ କୌଣସି ସାଧାରଣ ଲୋକ ମୃତାହାତ ହୋଇନଥିବା ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅପରପକ୍ଷରେ ଆମେରିକୀୟ ନାଗରିକଙ୍କୁ ଯଥାଶୀଘ୍ର କାବୁଲ ଏୟାରପୋର୍ଟ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକାର ରାଷ୍ଟ୍ରମୁଖ୍ୟ ଜୋ ବାଇଡେନ୍।
ସୂଚନା ଯୋଗ୍ୟ ଯେ, ଆଫଗାନିସ୍ତାନ ବୋମା ବିସ୍ଫୋରଣରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ରାଷ୍ଟ୍ରପତି ଜୋ ବାଇଡେନ୍ । ଘଟଣାକୁ ଆମେରିକା ଭୁଲିବ ନାହିଁ କି ସେମାନଙ୍କୁ କ୍ଷମା ଦେବନାହିଁ ବୋଲି କହିଥିଲେ ବାଇଡେନ୍ । ଏଥିସହ ଆକ୍ରମଣକାରୀଙ୍କ ବିପକ୍ଷରେ ପ୍ରତିଆକ୍ରମଣ କରିବା ଲାଗି ମଧ୍ୟ ସେ ‘ପେଣ୍ଟାଗନ୍’କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଘଟଣାର ୪୮ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେଇଛି ପେଣ୍ଟାଗନ୍ ।