ସମଗ୍ର ବିଶ୍ଵକୁ ଏବେ କେବଳ କରୋନା ସଂକ୍ରମଣକୁ ଆୟତ କରିପାରୁଥିବା ଟିକାର ପ୍ରତୀକ୍ଷା ରହିଛି । ଅନେକ ଦେଶରେ କରୋନା ଟିକାକୁ ନେଇ ଗବେଷଣା ଚାଲୁରହିଥିବା ବେଳେ ଭାରତ ଉପରେ ବି ଆଶା କରାଯାଉଛି ।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬୦୦୦ ଅତିକ୍ରମ କରିଗଲାଣି । ଅପରପକ୍ଷରେ ଖୁସି ଖବର ଯେ ସ୍ୱାସ୍ଥ୍ୟ ମନ୍ତ୍ରଳାୟ ସୂଚନା ଅନୁଯାୟୀ ଦେଶରେ ୨୧୬ ଟି ଜିଲ୍ଲାରେ କରୋନାର କୌଣସି ମାମଲା ସାମ୍ନାକୁ ଆସିନାହିଁ । କରୋନା ଆକ୍ରାନ୍ତ ରୋଗୀଙ୍କ ଆରୋଗ୍ୟ ହାର ବଢି ୨୯. ୩୬ ଶତକଡ଼ା ହୋଇଯାଇଛି । ଗୃହ ମନ୍ତ୍ରଳାୟ ଅନୁସାରେ ଲକଡାଉନ ଯୋଗୁ ନାନା ସ୍ଥାନରେ ଫସି ରହିଥିବା ଶ୍ରମିକ, ଛାତ୍ର ଓ ପର୍ଯ୍ୟଟକଙ୍କ ପାଇଁ ସ୍ଵତନ୍ତ୍ର ବସ, ଟ୍ରେନ ଚାଲୁ କରିବାକୁ ଅନୁମତି ଦିଆସରିଛି ।
ବିଶ୍ଵ ସାରା ବିଶେଷଜ୍ଞମାନେ ଲାଗିପଡ଼ିଛନ୍ତି କରୋନା ଟିକା ପ୍ରସ୍ତୁତିରେ । ମଣିଷ ଉପରେ ପରୀକ୍ଷଣ ବି ଚାଲିଛି । ବ୍ରିଟେନରେ କରୋନା ଟିକା ଉପରେ ଗବେଷଣା ଜାରି ରହିଥିବା ବେଳେ ଇସ୍ରାଇଲ ଦାବି କରିଛି ଯେ ଟିକା ପ୍ରସ୍ତୁତିରେ ସେ ସଫଳ ହୋଇଛି । ହେଲେ ଏ ସମୟରେ ଦୁନିଆର ସବୁଠାରୁ ଅଧିକ ଟିକା ଓ ଔଷଧ ଉତ୍ପାଦରେ ଆଗୁଆ ଭାରତର ସ୍ଥାନ କେଉଁଠି !
ଭାରତର ପୁଣେ ଠାରେ ଥିବା ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କରୋନା ଟିକା ଉତ୍ପାଦରେ ବଡ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି । ଭାରତ ହିଁ ଏମିତି ଏକ ଦେଶ ଯିଏ ପର୍ଯ୍ୟାପ୍ତ ପରିମାଣରେ ଓ ସବୁଠୁ ଶସ୍ତାରେ ଟିକା ଉପଲବ୍ଧ କରାଇପାରେ । ଉଦାହରଣ ସ୍ୱରୂପ, ପତଳା ଝାଡ଼ା ରୋକିବାକୁ ଶିଶୁଙ୍କୁ ଦିଆଯାଉଥିବା ‘ରୋଟା ଭାଇରସ ଟିକା’ ।