ସଂସ୍କାର : ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ! ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଯୋଡ଼ୋ ଯାତ୍ରା ବେଳେ ଅଜଣା ଦୁର୍ବୃତ୍ତ ଦେଲା ରାହୁଲ୍ ଗାନ୍ଧୀଙ୍କୁ ନେଇ ଧମକପୂର୍ଣ୍ଣ ଚିଠି । ଇନ୍ଦୋରର ଜୁନି ଥାନା ଅଞ୍ଚଳରେ ଏକ ମିଠା ଦୋକାନରୁ ମିଳିଛି ଏହି ଚିଠି । ଚିଠିରେ ରାହୁଲ ଗାନ୍ଧୀଙ୍କୁ ବମ୍ରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଇନ୍ଦୋର ପୋଲିସ ଏହି ଚିଠି ପାଇବା ପରେ ତଦନ୍ତ ଆରମ୍ଭ କରିଛି ।
ରାହୁଲଙ୍କ ସହ କମଲନାଥଙ୍କୁ ମଧ୍ୟ ବିସ୍ଫୋରଣରେ ଉଡ଼ାଇ ଦେବା ନେଇ ଚିଠିରେ ଧମକ ମିଳିଛି । ଉଭୟଙ୍କୁ ହତ୍ୟା କରିବା ସହ ସହରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ନେଇ ମଧ୍ୟ ଧମକ ମିଳିଛି । ମିଠା ଦୋକାନରେ ଚିଠିଟି କିଏ ଛାଡ଼ିଲା, ତାକୁ ନେଇ ପୋଲିସର ତନାଘନା ଜାରି ରଖିଛି। ପୁଲିସ୍ କହିଛି ଯେ ୫୦୭ ଦଫା ଅନୁସାରେ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ମଧ୍ୟ ଲାଗିବ।
ସୂଚନା ଅନୁସାରେ, ଗୁରବାର ବିଳମ୍ବିତ ରାତିରେ ପୋଷ୍ଟାଲରେ ଏହି ଚିଠି ମିଠା ଦୋକାନକୁ ଆସିଥିଲା । ଏହାକୁ ଶୁକ୍ରବାର ସକାଳୁ ଦୋକାନ ମାଲିକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲା । ଧମକପୂର୍ଣ୍ଣ ଚିଠିକୁ ନେଇ ଏବେ ପୋଲିସ ଓ ଜିଲ୍ଲା ପ୍ରଶାସନର ନିଦ ହଜିଯାଇଛି । ସହରର ବିଭିନ୍ନ ଛକ ମାନଙ୍କରେ ବ୍ଲକିଂ ଓ ଚେକିଂ ଜୋରଦାର କରିଛି ପୋଲିସ । ସିସିଟିଭି ଫୁଟେଜକୁ ଆଧାର କରି ଛାନବିନ୍ ଜାରି ରହିଛି ।