ଓଡ଼ିଶାରେ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଶାହାଙ୍କ ଭର୍ଚୁଆଲ ରାଲି : ରାଲିରେ ସାମିଲ ହେବେ ସାରା ରାଜ୍ୟବାସୀ

ଭୁବନେଶ୍ୱର : ପ୍ରଥମରୁ ପ୍ରଧାନମନ୍ତ୍ରୀ ମୋଦି ଡିଜିଟାଲ ମାଧ୍ୟମକୁ ଗୁରୁତ୍ତ୍ଵ ଦେଇଆସୁଥିଲା ବେଳେ ବର୍ତ୍ତମାନ କରୋନା ମହାମାରୀ ସଙ୍କଟ ସମୟ ତଥା ଲକଡାଉନ ମଧ୍ୟରେ ସେଇ ଡିଜିଟାଲ ମାଧ୍ୟମକୁ ହିଁ ବିକଳ୍ପ ବାଛି ନେଇଛନ୍ତି । ସମସ୍ତ କଟକଣା ସହିତ ସାଧାରଣ ସଭା ଓ ସମାବେଶ ହେବାକୁ ଯାଉଛି ଡିଜିଟାଲ ମାଧ୍ୟମରେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ଵିତୀୟ ପର୍ଯ୍ୟାୟ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶାକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ।

ଆଜି ଅପରାହ୍ନ ୩ ବାଜି ୩୦ ମିନିଟରେ ଡିଜିଟାଲ ପ୍ଲାଟଫର୍ମରେ ହିଁ ସାରା ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ । ମୋଦି ସରକାରଙ୍କ ସଫଳତା ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରିବା ଉଦ୍ଦେଶ୍ୟ ନେଇ ଏହି ସଭାର ଆୟୋଜନ ହୋଇଛି । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପମାନ ସହିତ ଦ୍ଵିତୀୟ ପର୍ଯ୍ୟାୟର ଏକ ବର୍ଷ ଭିତରେ କେନ୍ଦ୍ର ଓଡ଼ିଶାକୁ ଦେଇଥିବା ସହାୟତା ସମ୍ପର୍କରେ ବି ସବିଶେଷ ଆଲୋକପାତ କରିବେ ।  

ଓଡ଼ିଶାର ବିଜେପି ସଭାପତି ସମୀର ମହାନ୍ତିଙ୍କ କହିବାନୁଯାୟୀ ଯେତେବେଳେ କରୋନା ସହିତ ମୁକାବିଲା କରିବା ପାଇଁ ସାମାଜିକ ଦୂରତା ପ୍ରାଥମିକ ପ୍ରତିଷେଧକ, ସେ ସମୟରେ ଡିଜିଟାଲ ପ୍ଲାଟଫର୍ମରେ ଭର୍ଚୁଆଲ ସଭାର ଆୟୋଜନ ଏକ ଅନନ୍ୟ ବିକଳ୍ପ । ଆଗାମୀ ଦିନରେ ଜିଲ୍ଲା ସ୍ତରରେ ଅଧିକରୁ ଅଧିକ  ଭର୍ଚୁଆଲ ରାଲିର ଆୟୋଜନ ହେବ ।

ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ଏକ ରାଜନୈତିକ ଦଳ ଏଭଳି ଅଭିନବ ପଦକ୍ଷେପ ନେଇ ଭର୍ଚୁଆଲ ରାଲିର ଆୟୋଜନ କରିବାକୁ ଯାଉଛି । ଏହି ସଭାରେ ଅମିତ ଶାହାଙ୍କ ବ୍ୟତୀତ ଅନ୍ୟବକ୍ତାମାନେ ମଧ୍ୟ ଉପସ୍ଥିତ ରହିବେ । ଦିଲ୍ଲୀରୁ ଥାଇ ଶାହା ଓଡ଼ିଶାବାସୀଙ୍କୁ ସମ୍ଭୋଧନ କରିବେ ଯାହାର ସିଧା ପ୍ରସାରଣ ହେବ ।

Leave a Reply

Your email address will not be published. Required fields are marked *