ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ୱାଶିଂଟନରେ କ୍ୟାପିଟାଲ ହିଲରେ ଅନୁପ୍ରବେଶ କରିଗଲେ । ସେଠି ପଶି ଫିଙ୍ଗାଫୋପଡ଼ା, ମାରପିଟ୍ ସହିତ ଯାବତୀୟ କାଣ୍ଡକାରନାମା କଲେ । ସ୍ଥିତି ଗମ୍ଭୀର ହେଲାପରେ ସୁରକ୍ଷା ବାହିନୀ ବାଧ୍ୟ ହୋଇ ଗୁଳି ଚଳାଇଥିଲା ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କ୍ୟାପିଟାଲ ହିଲରେ ନିର୍ବାଚନ ମହାବିଦ୍ୟାଳୟର ପ୍ରକ୍ରିୟା ଚାଲିଥିଲା, ଯାହାର ଅର୍ଥ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି କରିବାର ଏକ ପ୍ରସ୍ତୁତି ପର୍ବ । ଏହି ସମୟରେ ହଜାର ହଜାର ଟ୍ରମ୍ପ ସମର୍ଥକ ୱାଶିଂଟନରେ ଯାଇ କ୍ୟାପିଟାଲ ହିଲ ଉପରେ ଆକ୍ରମଣ କରିଥିଲେ ।
ଟ୍ରମ୍ପଙ୍କ ହିଂସାତ୍ମକ ସମର୍ଥକମାନେ କ୍ୟାପିଟାଲ ହିଲକୁ ଭଙ୍ଗାରୁଜା କରି ସମସ୍ତ ସିନେଟରଙ୍କୁ ବାହର କରିଦେଲେ । ବିଲଡିଂ ଦଖଲ କଲେ । ଟ୍ରମ୍ପଙ୍କ ସମର୍ଥକ ଡୋନାଲ୍ଡ ଟ୍ରମ୍ପଙ୍କୁ କ୍ଷମତାରେ ରଖିବାକୁ, ପୁନର୍ବାର ଭୋଟ୍ ଗଣିବାକୁ ଦାବି କରିଥିଲେ । ଯେତେବେଳେ ଟ୍ରମ୍ପ ସମର୍ଥକମାନେ ୱାଶିଗାଣ୍ଟନ ରାସ୍ତାରେ ଧାରଣା ଦେବା ଆରମ୍ଭ କରିଥିଲେ ସେତେବେଳେ ସୁରକ୍ଷା ସ୍ତର ବଢାଇ ଦିଆଯାଇଥିଲା ।
କିନ୍ତୁ ଟ୍ରମ୍ପଙ୍କ ହିଂସାତ୍ମକ ସମର୍ଥକମାନେ ଅଟକି ନଥିବା ଦେଖାଗଲା ପରେ ବାଧ୍ୟ ହୋଇ ପୋଲିସକୁ ଲାଠି ଚାର୍ଜ ଏବଂ ଟିୟର ଗ୍ୟାସ ସହିତ ଗୁଳି ଚଳାଇବାକୁ ପଡ଼ିଲା । ହିଂସାତ୍ମକ ଟ୍ରମ୍ପ ସମର୍ଥକଙ୍କଠାରୁ ପୋଲିସ ବନ୍ଧୁକ ମଧ୍ୟ ପାଇଛି । ସମଗ୍ର ବିଶ୍ୱରେ ନେତାମାନେ ଏଭଳି ହିଂସାକୁ ବିରୋଧ କରୁଥିବାବେଳେ ଆଶଙ୍କା ଦେଖା ଦେଲାଣି ଯେ ସତେ ଯେମିତି ଆମେରିକାରେ ଗୃହ ଯୁଦ୍ଧ ହେବାକୁ ଯାଉଛି ।

ସୂଚନାଥାଉ ଯେ କ୍ୟାପିଟାଲ ହିଲ ବିଲ୍ଡିଂକୁ ଆମେରିକାର ଗଣତନ୍ତ୍ରର ଚିହ୍ନ ବୋଲି କୁହାଯାଏ । ଆମେରିକୀୟ ଗଣମାଧ୍ୟମ ଅନୁଯାୟୀ, କ୍ୟାପିଟାଲ ହିଲକୁ ଏତେ ସଂଖ୍ୟକ ଲୋକ ଆସିଥିଲେ ଯେ ସୁରକ୍ଷା କର୍ମୀଙ୍କ ସଂଖ୍ୟା ହ୍ରାସ ପାଇଛି । ହିଂସାତ୍ମକ ବିକ୍ଷୋଭକାରୀଙ୍କ ଦଳକୁ ନିୟନ୍ତ୍ରିତ କରୁ କରୁ ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ତେବେ ପୋଲିସ ଅନେକ ବିକ୍ଷୋଭକାରୀଙ୍କୁ ଗିରଫ କରିଛି ।
ଅନ୍ୟପକ୍ଷରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ୱାଶିଂଟନ୍ରେ ହୋଇଥିବା ହିଂସାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ କ୍ଷମତା ହସ୍ତାନ୍ତର କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।