ଦୁଇ ଭାଇ ଭଲ ପାଉଥିଲେ ଗୋଟିଏ ଝିଅକୁ : ସ୍ୱଇଚ୍ଛାରେ ଆତ୍ମହତ୍ୟା କରୁଛନ୍ତି କହି ଭିଡ଼ିଓ କଲେ, ତା’ପରେ ଡେଇଁଲେ ଚଳନ୍ତା ଟ୍ରେନ ସାମ୍ନାକୁ

ଦିନକୁ ଦିନ ପ୍ରେମର ସଜ୍ଞା ବଦଳିବାରେ ଲାଗିଛି । ତ୍ୟାଗ ଏବଂ ସମର୍ପଣ ବଦଳେ ମଣିଷ ତାକୁ ହାସଲ କରିବାକୁ ଚେଷ୍ଟିତ ରହୁଛି ଯେଉଁ କାରଣରୁ ନାନା ଅଭାବନୀୟ ଘଟଣାମାନ ଘଟୁଛି । ତେବେ ରାଜସ୍ଥାନର ବୁନ୍ଦି ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଖବର ଯେଉଁଥିରେ ଦୁଇ ଯୁବକ ପ୍ରେମ ପାଇଁ ଚଳନ୍ତା ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ମୃତକ ଦ୍ୱୟ ବୁନ୍ଦି ଜିଲ୍ଲା ଦେବଲାନା ଥାନା ଅନ୍ତର୍ଗତ କେଶଭପୁରା ଗାଁର । ଉଭୟ ସମ୍ପର୍କୀୟ ଭାଇ ଥିଲେ ଏବଂ ଗୋଟିଏ ଝିଅକୁ ପ୍ରେମ କରୁଥିଲେ । ମହେନ୍ଦ୍ର ଗୁରଜର (୨୩ ବର୍ଷ) ଏବଂ ଦେବରାଜ ଗୁରଜର (୨୩ ବର୍ଷ) ଉଭୟ ଆଶା ନାମକ ଏକ ଝିଅକୁ ପ୍ରେମ କରୁଥିଲେ, ଯାହାର ନାଁ ନିଜ ହାତରେ ମଧ୍ୟ ଲେଖିଥିଲେ । ଦେବଲାନା ଥାନା ଅଧିକାରୀ ଲଖନଲାଲ ମୀନା କହିଛନ୍ତି ଯେ ମୃତକଙ୍କ ମୋବାଇଲ ଫୋନରୁ ସମାନ ଯୁବତୀଙ୍କ ଏକାଧିକ ଫଟୋ ମଧ୍ୟ ମିଳିଛି । ହେଲେ ଯୁବତୀଙ୍କ ବାବଦରେ ଏଯାଏଁ କୌଣସି ସୂଚନା ମିଳିନାହିଁ । ଏମିତିକି ଘଟଣାସ୍ଥଳରୁ କିମ୍ବା ମୃତଦେହ ନିକଟରୁ କୌଣସି ସୁଇସାଇଡ଼ ନୋଟ୍‌ ବି ଜବତ ହୋଇନାହିଁ ।

ତେବେ ଦୁଇ ସମ୍ପର୍କୀୟ ଭାଇ ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ମୋବାଇଲରେ ଏକ ଭିଡ଼ିଓ ରକର୍ଡ଼ିଂ କରିଥିଲେ ଯେଉଁଥିରେ ସେ କହିଛନ୍ତି ଯେ ଆମକୁ କେହି ଆତ୍ମହତ୍ୟା କରିବାକୁ ବାଧ୍ୟ କରିନାହାନ୍ତି । ଆମେ ସ୍ଵଇଚ୍ଛାରେ ଏହି ପଦକ୍ଷେପ ନେଇଛୁ । ଆମ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି । ଏହାସହିତ ପରିବାର ଲୋକଙ୍କୁ ନରାଗିବା ପାଇଁ ଏବଂ ସେମାନଙ୍କୁ ଭୁଲି ଆଗକୁ ଯିବାକୁ କହିଛନ୍ତି ସେମାନେ । ଭିଡ଼ିଓ ଶେଷରେ ପ୍ରେମିକା ପରିବାରକୁ ଅନୁରୋଧ କରିଛନ୍ତି ଯେ ଉପଯୁକ୍ତ ପ୍ରସ୍ତାବ ଦେଖି ଆଶାକୁ ବିବାହ କରାଇବ ।

ଅନ୍ୟପକ୍ଷରେ ଉଭୟଙ୍କ ମୃତଦେହକୁ ପୋଲିସ ଜବତ କରି ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଏବଂ IPC ଧାରା ୧୭୪ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Leave a Reply

Your email address will not be published. Required fields are marked *