ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ବଡ଼ ଅଦ୍ଭୁତ ଖବର । ହାଇଦ୍ରାବାଦରେ ଅନଲାଇନ୍ ଟ୍ୟାକ୍ସି କମ୍ପାନୀ ଉବେର ତା’ର ଜଣେ କର୍ମଚାରୀକୁ ଚାକିରିରୁ ବାହାର କରିଦେଇଛି ଯାହାର କାରଣ ଜାଣିଲେ ଆପଣ ବି ହେବେ ତାଯୁବ । କର୍ମଚାରୀ ଜଣଙ୍କ ମୁହଁ ଫେସ୍ ସ୍କାନରରେ ମିଶିଲାନି ବୋଲି ତାଙ୍କୁ ତାଙ୍କର ଚାକିରି ହରେଇବାକୁ ପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ହାଇଦ୍ରାବାଦରେ ଉବେର ଡ୍ରାଇଭର୍ ହିସାବରେ କାମ କରୁଥିବା ଶ୍ରୀକାନ୍ତ ତିରୁମାଲା ତିରୁପତିରେ ଲଣ୍ଡା ହୋଇ ନିଜ ଚୁଟିକୁ ଭଗବାନଙ୍କୁ ଦାନ କରିଥିଲେ । କିନ୍ତୁ ଏହି ଚୁଟି ଦାନ ଏବଂ ଲଣ୍ଡା ହେବା ଯେ ତାଙ୍କୁ ଏତେ ମହଙ୍ଗା ପଡ଼ିବ ସେ କେବେ ଭାବି ନଥିଲେ । କାରଣ ଯେତେବେଳେ ଶ୍ରୀକାନ୍ତ ଅଫିସ୍ ଗଲେ, ଫେସ୍ ସ୍କାନର ମେସିନ୍ ତାଙ୍କ ମୁହଁକୁ ଆଉ ଚିହ୍ନି ପାରିଲା ନାହିଁ, ଫଳରେ ତାଙ୍କ ଚାକିରି ଚାଲିଗଲା ।
ଶ୍ରୀକାନ୍ତଙ୍କ କହିବାନୁସାରେ କମ୍ପାନୀରେ ଲଗ୍ ଇନ୍ ବେଳେ ଫଟୋ ସଫ୍ଟୱେର ମୁହଁ ସ୍କାନ୍ କରିବାକୁ ଦିଆଯାଇଥିଲା, ଯେଉଁଥିରେ ତାଙ୍କ ମୁହଁ ମ୍ୟାଚ୍ କରିନଥିଲା । ୪ ଥର ପ୍ରୟାସ ପରେ ସେ ଅସଫଳ ହେଲେ ଏବଂ ତାଙ୍କୁ ଚାକିରିରୁ ହଟାଇ ଦିଆଗଲା ।
ତେବେ ୟା’ ଭିତରେ ମାସେ ବିତି ଯାଇଚି ହେଲେ ଶ୍ରୀକାନ୍ତଙ୍କ ମୁହଁକୁ ସଫ୍ଟୱେର ଚିହ୍ନି ପାରିନି । ମାସେ ହେଲା ଶ୍ରୀକାନ୍ତଙ୍କ ପାଖରେ କୌଣସି କାମ ନାହିଁ । କମ୍ପାନୀର ସବୁ ଡକ୍ୟୁମେଣ୍ଟ ତାଙ୍କ ପାଖରେ ମହଜୁଦ୍ ଥାଇ ବି ସେ କାମ କରିପାରୁନାହାନ୍ତି । ଶ୍ରୀକାନ୍ତ ଅନେକ ଥର ଉବେର କାର୍ଯ୍ୟାଳୟ ଯିବା ଆସିବା କରିଥିଲେ ହେଁ, ତାଙ୍କୁ ଡ୍ରାଇଭର୍ ଭାବେ ନେବାକୁ କମ୍ପାନୀ ମନା କରିଦେଇଛି । ଅନ୍ୟପକ୍ଷରେ ଶ୍ରୀକାନ୍ତ କହିଛନ୍ତି ଯେ ୨୦୧୯ରେ ସେ ଉବେରରେ ସାମିଲ୍ ହୋଇଥିଲେ ଏବଂ ଏପର୍ଯ୍ୟନ୍ତ ପାଖାପାଖି ୧୪୨୮ଟା ଯାତ୍ରା ପୂରଣ କରିସାରିଛନ୍ତି । ଏମିତିକି ତାଙ୍କୁ ତାଙ୍କ ଡ୍ରାଇଭିଂ ପାଇଁ ୪.୬୭ ଷ୍ଟାର ରେଟିଂ ମଧ୍ୟ ମିଳିଛି । ସେପଟେ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ଆପ୍ ଆଧାରିତ ଟ୍ରାନ୍ସପୋର୍ଟ ୱାର୍କର୍ସ ମହାସଚିବ ଶେକ୍ ସଲାଉଦ୍ଦିନ ଶ୍ରୀକାନ୍ତଙ୍କ ପୂରା ଘଟଣାକୁ ସୋସିଆଲ ମିଡ଼ିଆରେ ଶେଆର୍ କରିଛନ୍ତି।