୩.୦ ଅନଲକରେ ଖୋଲିପାରେ ସିନେମା ହଲ୍ ଓ ଜିମ୍ : କେଉଁଠି ଓ କେବେ ଜାଣନ୍ତୁ ସେ ବିଷୟରେ

ଚଳିତ ମାସ ଜୁଲାଇରେ ଅନଲକ୍ ୨.୦ ଶେଷ ହେବାକୁ ଯାଉଛି ଓ ଅନଲକ୍ ୩.୦ ପାଇଁ ଚାଲିଛି ପ୍ରସ୍ତୁତି । ଅନଲକ୍ ୩.୦ ପାଇଁ ସରକାର ନୂତନ ନିର୍ଦ୍ଦେଶାବଳୀ ତିଆରି କରୁଛନ୍ତି ଯାହା ଅଗଷ୍ଟ ପହିଲାରୁ ଲାଗୁ ହେବ । ଖବର ଅନୁଯାୟୀ ସିନେମା ହଲ୍ ଏବଂ ଜିମ୍ ଖୋଲିବାକୁ ପ୍ରସ୍ତାବ ଦିଆଯାଇଥିଲାବେଳେ ଦେଶ ସାରା ସ୍କୁଲ ଓ ମେଟ୍ରୋ ଟ୍ରେନ୍ ସେବା ବନ୍ଦ ରହିବ ।

ଅଗଷ୍ଟ ମାସରୁ ସାରା ଦେଶରେ ସିନେମା ହଲଗୁଡ଼ିକ ଖୋଲିବା ନେଇ ଅନୁମତି ଦେବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (I&B) କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏକ ସୁପାରିଶ କରିଛି । ନ୍ୟୁଜ୍ ଏଜେନ୍ସି INS ରିପୋର୍ଟ ଅନୁଯାୟୀ I&B ର ସଚିବ ଅମିତ ଖେର ଶୁକ୍ରବାର ଦିନ ଏକ ବୈଠକରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ବନ୍ଦ ସିନେମା ହଲଗୁଡ଼ିକ ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗୃହ ମନ୍ତ୍ରଣାଳୟର ପ୍ରତିପକ୍ଷ ଅଜୟ ଭାଲା ହିଁ ଗ୍ରହଣ କରିବେ ।

ତେବେ ନୂଆ ଯୋଜନା ଅନୁଯାୟୀ ଲୋକମାନେ ପ୍ରଥମ ଲାଇନରେ ଗୋଟିଏ ସିଟ୍ ଛାଡି ପ୍ରେକ୍ଷାଳୟରେ ବସିବେ ଏବଂ ଦ୍ୱିତୀୟ ଲାଇନ ଖାଲି ରହିବ । ଏଥିସହ ଥିଏଟର ବାହାରେ ସାମାଜିକ ଦୂରତା ଅନୁସରଣ କରିବା ବାଧ୍ୟତାମୂଳକ ହେବ । ଅନ୍ୟପକ୍ଷରେ ସିନେମା ହଲ ମାଲିକମାନଙ୍କୁ କେବଳ ୨୫ ପ୍ରତିଶତ ସିଟ୍ ପୂରଣ କରିବାକୁ ଅନୁମତି ଦିଆଯିବ । ଏହା ସହିତ ସେଠାରେ ପରିଷ୍କାର ପରିଚ୍ଛନ୍ନତାର ସମ୍ପୂର୍ଣ୍ଣ ଯତ୍ନ ନେବାକୁ ପଡ଼ିବ ।

ସୂଚନା ଅନୁଯାୟୀ ଗୋଟିଏ ଦିନରେ ୪୮ ହଜାର ୬୬୧ କରୋନା ମାମଲା ଆସିଥିଲାବେଳେ ଦେଶରେ ରବିବାର ଦିନ ଏହା ୧୩ ଲକ୍ଷ ୮୫ ହଜାର ୫୨୨କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୩୨୦୬୩ କୁ ବୃଦ୍ଧି ପାଇଛି । ଏଣେ ସିନେମା ହଲ୍ ମାଲିକମାନେ ଏହି ନିୟମକୁ ବିରୋଧ କରିବା ଆରମ୍ଭ କରିଛନ୍ତି ଏବଂ କହିଛନ୍ତି ଯେ ୨୫ ପ୍ରତିଶତ କ୍ଷମତା ବିଶିଷ୍ଟ ସିନେମା ହଲ୍ ଖୋଲିବା ଅପେକ୍ଷା ନଖୋଲିବା ଭଲ ।

Leave a Reply

Your email address will not be published. Required fields are marked *