ଉତ୍ତର ପ୍ରଦେଶ ସରକାର ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ନେଇଛି ଏକ ବଡ଼ ନିଷ୍ପତ୍ତି । ଏଣିକି ସମସ୍ତ ପ୍ରାୟ ୧.୬ କୋଟି ଛାତ୍ରଛାତ୍ରୀଙ୍କୁ ମିଳିବ ୧୧୦୦ ଟଙ୍କା । ଏହି ଟଙ୍କା ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ପଠା ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି ।
ତେବେ ୟୁନିଫର୍ମ, ବ୍ୟାଗ୍, ଜୋତା ଆଦି କିଣିବା ପାଇଁ ସରକାର ଏହି ଯୋଜନା କରିଛି । କାରଣ ଛାତ୍ରଛାତ୍ରୀଙ୍କୁ ଏସବୁ ଜିନିଷ ମିଳୁମିଳୁ ପ୍ରତି ବର୍ଷ ବିଳମ୍ବ ହେଉଛି । ସରକାରୀ ବୟାନ ଅନୁସାରେ, ଗଣଶିକ୍ଷା ବିଭାଗ ଦ୍ୱାରା ୟୁନିଫର୍ମ, ସ୍କୁଲ ବ୍ୟାଗ୍ ଓ ଜୋତା ପାଇଁ ଏକ ନିର୍ଦ୍ଦିଷ୍ଟ ରାଶି ଲାଭାର୍ଥୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦିଆଯିବ । ଏହି ପ୍ରସ୍ତାବକୁ ଏବେ କ୍ୟାବିନେଟ ପଠାଯାଇଛି ।
ସୂଚନାଥାଉ ଯେ ଉତ୍ତର ପ୍ରଦେଶରେ ପ୍ରତିବର୍ଷ ସରକାରୀ ସ୍କୁଲ ପିଲାଙ୍କୁ ମାଗଣାରେ ସ୍କୁଲ ୟୁନିଫର୍ମ, ବ୍ୟାଗ୍ ଆଦିର ସୁବିଧା ମିଳିଥାଏ । କିନ୍ତୁ ମିଳୁ ମିଳୁ ବିଳମ୍ବ ହେଉଛି ବୋଲି ଅନେକବାର ଅଭିଯୋଗ ଆସୁଛି । ତେଣୁ ଏଣିକି ଆଉ ଯେପରି ସେ ସମସ୍ୟା ରହିବ ନାହିଁ ସେନେଇ ସରକାର ଏ ନିଷ୍ପତ୍ତି ନେଇଛନ୍ତି । କ୍ୟାବିନେଟକୁ ଦେଇଥିବା ପ୍ରସ୍ତାବ ଅନୁସାରେ ପ୍ରତ୍ୟେକ ପିଲାଙ୍କୁ ୟୁନିଫର୍ମ ବାବଦକୁ ୬୦୦ ଟଙ୍କା ଏବଂ ସ୍କୁଲ ବ୍ୟାଗ, ସ୍ୱେଟର, ଜୋତାମୋଜା ପାଇଁ ୫୦୦ ଟଙ୍କା ଦିଆଯିବ ।