କରୋନା ଭାଇରସକୁ ମୂଳପୋଛ କରିବା ପାଇଁ ବାହାରିଗଲା ଟୀକା । ଏହି ଟୀକାକୁ ମଣିଷ ଶରୀରରେ ପରୀକ୍ଷା ମଧ୍ୟ କରାଗଲାଣି । କରୋନା ଭଳି ଭାଇରସକୁ ଶେଷ କରିବାକୁ ହେଲେ ଟୀକା ସବୁଠାରୁ ବଡ଼ ଅସ୍ତ୍ର । ଆଉ ଏହି ଶକ୍ତିଶାଳୀ ଅସ୍ତ୍ର ସର୍ବପ୍ରଥମେ ତିଆରି କରି ଗର୍ବ ଅନୁଭବ କରିଛନ୍ତି ଚୀନ ବିଶେଷଜ୍ଞମାନେ । ଆମ ରୋଗୀଙ୍କୁ ବଞ୍ଚାଇବାରେ ଆମେ ଏବେ ସଫଳ ହୋଇପାରିବୁ ବୋଲି ସେମାନେ ଦାବି ମଧ୍ୟ କରିଛନ୍ତି ।
ଚୀନ ସରକାର କରୋନା ଭାଇରସ ଟୀକା ପରୀକ୍ଷା ପାଇଁ ଅନୁମତି ଦେବାପରେ ଏହା ମଣିଷ ଦେହରେ ପରୀକ୍ଷଣ ହୋଇଛି । ଏହା ଦେଶର ପ୍ରତିଷ୍ଠା ତଥା ବିଜ୍ଞାନ କ୍ଷେତ୍ରରେ ଆମ ପାରଦର୍ଶିତାକୁ ପ୍ରମାଣ କରିବ ବୋଲି ଚୀନ ବିଶେଷଜ୍ଞ କହିଛନ୍ତି ।
ସଂପୂର୍ଣ୍ଣ ରୂପେ କରୋନା ଭାଇରସକୁ ନିପାତ କରିବା ପାଇଁ ବିପୁଳ ପରିମାଣର ଟୀକା ଉତ୍ପାଦନ ପାଇଁ ଏବେ ଚାଲିଛି ପ୍ରସ୍ତୁତିପର୍ବ । ମାସେ କାଳ ଧରି ଏହା ଉପରେ ନାନାଦି ଗବେଷଣା କରିବା ପରେ ସଫଳତାର ସହ ଟୀକା ବାହାରିଥିବା କଥା କୁହାଯାଉଛି । ୨୦୦୩ ମସିହାରେ SAARS ପାଇଁ ମେଡ଼ିକାଲ ସ୍ପ୍ରେ ପ୍ରଥମେ ଚୀନ ବାହାର କରିଥିଲା । ପରବର୍ତ୍ତୀ ସମୟରେ ସେହି ସ୍ପ୍ରେ ଦ୍ଵାରା ପ୍ରାୟ ୧୪୦୦୦ ହସ୍ପିଟାଲ କର୍ମଚାରୀମାନଙ୍କର ଜୀବନ ରକ୍ଷା କରାଯାଇ ପାରିଥିଲା । ଏବେ ପୁଣିଥରେ ରେକର୍ଡ଼ କରିବାକୁ ଯାଉଛି ଚୀନ ।

ଅପରପକ୍ଷରେ କିନ୍ତୁ କରୋନା ଭାଇରସ ଟୀକା ବାହାରିଛି ବୋଲି ଦାବି କରିଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ୍ ନିଜେ କରୋନା ଭାଇରସର ଚିକିତ୍ସା ପାଇଁ ଟୀକା ବାହାରିଛି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି । ଟୀକା MRNA 1273 ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ବି ସରିଛି ୟା ଭିତରେ । ଆମେରିକାରେ କରୋନା ବ୍ୟାପିବାର କେନ୍ଦ୍ରସ୍ଥଳ ସିଟେଲ ଅଞ୍ଚଳରେ ଏହି ଟୀକାର ପ୍ରଥମ ପରୀକ୍ଷଣ କରାଯାଇଛି ।
ଏବେ ସମସ୍ତଙ୍କୁ ସର୍ଭେ ଲାନ୍ସରେ ରଖାଯାଇଛି । ଟୀକାଟି ଠିକ୍ ଭାବରେ କାମ କରୁଛି କି ନାହିଁ ଏଥିଲାଗି ବିଭିନ୍ନ ପର୍ଯ୍ୟାୟରେ ରୋଗୀମାନଙ୍କର ଚିକତ୍ସା କରାଯାଉଛି । ଏତେ ଶୀଘ୍ର କୌଣସି ଟୀକା ଆବିଷ୍କାର ହେବା ବିଶ୍ଵ ଇତିହାସରେ ପ୍ରଥମ ଘଟଣା ବୋଲି ଦୃଢତାର ସହ କହିଛି ଆମେରିକାର ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ । ଆମେରିକାର NIH ଓ ବାୟୋଟେକ୍ନୋଲୋଜି କମ୍ପାନୀ “ମାଡ଼େନା”ର ମିଳିତ ଉଦ୍ୟମରେ ଏହି ଟୀକା ପ୍ରସ୍ତୁତ ହୋଇଛି ।
ପରିଶେଷରେ ଚୀନ ଓ ଆମେରିକାରୁ ଏପରି ଖବର ଆସିବା ପରେ ଆଶ୍ଵସ୍ତି ହୋଇଛନ୍ତି ବିଶ୍ଵବାସୀ ।