ମୋଦିଙ୍କ ରିଲିଫ୍ ପ୍ୟାକେଜ୍ ଘୋଷଣା ପରେ, ବିଜୟ ମାଲ୍ୟା କହିଲେ ମୁଁ ସବୁ ଋଣ ସୁଝିବା ପାଇଁ ପ୍ରସ୍ତୁତ ମାତ୍ର…

ଭାରତକୁ ନିଜର ପ୍ରତ୍ୟର୍ପଣ ପାଇଁ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଲଢେଇ ଜାରି ରହିଛି । ତାଙ୍କର ଶତ ପ୍ରତିଶତ ଋଣ ରାଶି ଗ୍ରହଣ କରି ତାଙ୍କ ବିରୋଧରେ ଥିବା ମାମଲାକୁ ବନ୍ଦ କରିବାକୁ ସେ ଗୁରୁବାର ଦିନ ସରକାରଙ୍କୁ ନିବେଦନ କରିଛନ୍ତି । ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ ଘୋଷଣା ପାଇଁ ସେ ଭାରତ ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦୁଃଖ ବି ପ୍ରକାଶ କରିଛନ୍ତି । ତାଙ୍କ ଦେୟ ପରିଶୋଧ ପ୍ରସ୍ତାବକୁ ବାରମ୍ବାର ଅଣଦେଖା କରାଯାଇଛି ବୋଲି ସେ କହିଛନ୍ତି ।

କୋଭିଡ-୧୯ ରିଲିଫ ପ୍ୟାକେଜ ପାଇଁ ସରକାରଙ୍କୁ ଅଭିନନ୍ଦନ । ସେମାନେ ସେତିକି ମୁଦ୍ରା ମୁଦ୍ରଣ କରିପାରିବେ ଯେତିକି ସେମାନେ ଚାହାନ୍ତି କିନ୍ତୁ ମୋ ଭଳି ଜଣେ ଛୋଟ ଯୋଗଦାନକାରୀ ଯିଏ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଋଣର ଶତ ପ୍ରତିଶତ ଫେରସ୍ତ କରିବାକୁ ଆଗ୍ରହ ପ୍ରକାଶ କରୁଛି ତାକୁ କ୍ରମାଗତ ଭାବରେ ଅଣଦେଖା କରାଯିବା କେତେଦୂର ଉଚିତ୍ ବୋଲି ମାଲ୍ୟା ଟ୍ଵିଟ କରି କହିଛନ୍ତି ।

ତଥାକଥିତ ପ୍ରାୟ ୯୦୦୦ କୋଟି ଟଙ୍କାର ଟଙ୍କା ଠକେଇ ଏବଂ ମନି ଲାଣ୍ଡିଂ ଅଭିଯୋଗରେ କିଙ୍ଗଫିସର ଏୟାରଲାଇନ୍ସର ପ୍ରମୋଟର ମାଲ୍ୟା କହିଛନ୍ତି ଯେ ଦୟାକରି ବିନା ସର୍ତ୍ତରେ ମୋ ଟଙ୍କାକୁ ନିଅ ଓ ମାମଲା ବନ୍ଦ କର । ଏହାପୂର୍ବରୁ କିଙ୍ଗଫିସର ଏୟାରଲାଇନ୍ସକୁ ଠକେଇ ଏବଂ ଟଙ୍କା ହେରଫେର ଅଭିଯୋଗରେ ଭାରତକୁ ପ୍ରତ୍ୟର୍ପଣ ଆଦେଶ ବିରୋଧରେ ଲଣ୍ଡନ ହାଇକୋର୍ଟରେ ଆବେଦନ ଖାରଜ ହେବାପରେ ମାଲ୍ୟା ବ୍ରିଟେନ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ ।

ଅତୀତରେ କିଙ୍ଗଫିସର ଏୟାରଲାଇନ୍ସ ମାଲିକ ମାଲ୍ୟା ଟ୍ୱିଟ୍ କରି ଜଣେଇଛନ୍ତି ଯେ ସେ ବ୍ୟାଙ୍କମାନଙ୍କ ଠାରୁ ନେଇଥିବା ଋଣ ରାଶିର ଶତ ପ୍ରତିଶତ ସୁଝିବା ପାଇଁ ଚାହୁଁଥିଲେ ମଧ୍ୟ କୌଣସି ବ୍ୟାଙ୍କ ଏହି ପ୍ରସ୍ତାବରେ ରାଜି ନୁହନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବ୍ୟାଙ୍କଗୁଡ଼ିକ ପରାମର୍ଶ ଅନୁଯାୟୀ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମାଲ୍ୟାଙ୍କ ସଳଘ୍ନ ସମ୍ପତ୍ତିକୁ ଛାଡିବାକୁ ଇଚ୍ଛୁକ ନୁହଁନ୍ତି ।

Leave a Reply

Your email address will not be published. Required fields are marked *