ବିଜାପୁର ଲାଲ ତାଣ୍ଡବ ପଛର ମାଷ୍ଟରମାଇଣ୍ଡ କିଏ, ଯଦ୍ଵାରା ହୋଇଗଲା ଏତେ ବଡ଼ ନରସଂହାର …

ଛତିଶଗଡ଼ ଏବଂ ମହାରାଷ୍ଟ୍ର ପୋଲିସକୁ ଚକମା ଦେଇ ଦଣ୍ଡକାରଣ୍ୟରେ ଗତ ୧୧ ବର୍ଷ ଭିତରେ ଘଟିଛି ଅନେକ ନରସଂହାର ଯାହା ପୋଲିସ ପାଇଁ ପାଲଟିଛି ସବୁଠାରୁ ବଡ଼ ଚାଲେଞ୍ଜ । ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲୀ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୨୨ ଯବାନଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଜଣେ ଯବାନ ବର୍ତ୍ତମାନ ଯାଏଁ ନିଖୋଜ ଅଛନ୍ତି । ତେବେ ଏହି ତମାମ୍‌ ଘଟଣା ପଛର ମାଷ୍ଟରମାଇଣ୍ଡ ଟପ୍‌ ନକ୍ସଲ କମାଣ୍ଡର ହିଡ଼ମାକୁ କୁହାଯାଉଛି ।

ସୁକମା ଜିଲ୍ଲା ପୂବାର୍ତ୍ତି ଗାଁ ବାସିନ୍ଦା ୪୦ ବର୍ଷୀୟ ହିଡ଼ମା ୯୦ ଦଶକରେ ନକ୍ସଲୀ ହିଂସା ରାସ୍ତାକୁ ବାଛି ନେଇଥିଲା ବୋଲି ଜଣାପଡ଼ିଛି । ଅନେକ ନୀରିହ ଲୋକଙ୍କୁ ହତ୍ୟା ମାମଲାରେ ସେ ସମ୍ପୃକ୍ତ ଅଛି ବୋଲି ସୂଚନା ମିଳିଛି । ମାଓବାଦୀମାନଙ୍କ ପିପୁଲ୍ସ ଲିବରେସନ୍‌ ଗରିଲ୍ଲା ଆର୍ମୀ ବାଟାଲିୟନ-୧ ର ମୁଖ୍ୟ ଭାବେ ସେ କାର୍ଯ୍ୟ କରୁଥିବା ବେଳେ ସିପିଆଇ (ମାଓବାଦୀ)ର ୨୧ ଜଣିଆ ସେଣ୍ଟ୍ରାଲ କମିଟିର ଜଣେ ସଦସ୍ୟ ଅଛି । ଷଡ଼ଯନ୍ତ୍ର ରଚୁଥିବା ହିଡ଼ମା ଛତିଶଗଡ଼ର ସୁକମାରୁ ମହାରାଷ୍ଟ୍ରର ଗଡ଼ଚିରୋଲି, ଏପରିକି ଓଡ଼ିଶାର ମାଲକାନଗିରି ଯାଏଁ ନିଜର ଦବଦବା ଜାରି ରଖିଛି ସେ ।

ଏହି ସୁପରମାଇଣ୍ଡ ହିଡ଼ମାକୁ ଧରିବାକୁ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି । ତା’ ଦଳରେ ପ୍ରାୟ ୧୮୦ ରୁ ୨୫୦ ଜଣ ନକ୍ସଲ ଅଛନ୍ତି । ଅଧିକ ଆତଙ୍କରାଜ ସୃଷ୍ଟି କରି ନକ୍ସଲ ସଂଗଠନକୁ ସକ୍ରିୟ ରଖିବାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଚି ସେ । ଗତ ବର୍ଷ ସୁକମା ଅଞ୍ଚଳରେ ନକ୍ସଲମାନେ ୧୭ ଜଣ ନିରୀହ ଲୋକଙ୍କର ଜୀବନ ନେଇଥିଲା ବେଳେ ୨୦୧୯ ଅପ୍ରେଲ ମାସରେ ବିଜେପି ବିଧାୟକ ଭୀମା ମାଣ୍ଡୱି, ତାଙ୍କ ଡ୍ରାଇଭର ଏବଂ ୩ ଜଣ ସୁରକ୍ଷାକର୍ମୀଙ୍କୁ ଅତି ନର୍ମମ ଭାବେ ହତ୍ୟା କରିଥିଲେ ।

ରିପୋର୍ଟ ଅନୁସାରେ ୨୦୧୦ ରେ ଦନ୍ତେୱାଡା ହମଲାରେ ୭୬ ଜଣ ସିଆରପିଏଫ ଯବାନ ସହିଦ ଘଟଣା ଏବଂ ୨୦୧୩ ଝିରାମ ଘାଟି ମାଓ ହମଲାରେ ୨୭ ଜଣ କଂଗ୍ରେସ ନେତା ପ୍ରାଣ ହରାଇବା ଘଟଣା ପାଇଁ ବ୍ଲୁ ପ୍ରିଣ୍ଟ କରିଥିଲା ହିଡ଼ମା । ତେବେ ଏସବୁ ଘଟଣା ପରେ ପୋଲିସ ରାଡ଼ାରକୁ ଆସିଯାଇଥିଲା ସେ । ୨୦୧୭ ରେ ପୁଣି ବୁରଖାପାଲଠାରେ ସିଆରପିଏଫ୍ ଉପରେ ହମଲାରେ ଥିଲା ହିଡ଼ମାର ହାତ, ଯେଉଁଥିରେ ୨୫ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପରେ ଦଣ୍ଡକାରଣ୍ୟ ଜୋନ୍‌ରେ ସେ ଲାଲକମାଣ୍ଡର ପାଲଟି ଯାଇଥିଲା । ହେଲେ ୨୦୧୦ ପରଠାରୁ ହିଡ଼ମାକୁ ଆଉ କେହି ଦେଖି ନାହାନ୍ତି । କିନ୍ତୁ ୨୦୧୭ ଜାନୁୟାରୀରେ ବିଜାପୁରରେ ପୋଲିସ ଗୁଳିରେ ସେ ପ୍ରାଣ ହରାଇଥିବା ନେଇ ସୂଚନା ଆସିଥିଲା ମାତ୍ର ଲାଗୁଛି ପୁଣି ଏବେ ସେ ଏକ ଚ୍ୟାଲେଞ୍ଜ ଦେଇଛି ।

Leave a Reply

Your email address will not be published. Required fields are marked *