ସଂସ୍କାର : ବିଶ୍ୱରେ କରୋନା ଭାଇରସ୍ ନିଜର ପ୍ରଭାବ ବିସ୍ତାର କରିସାରିଥିବା ବେଳେ, ବର୍ତ୍ତମାନ ଆଉ ଏକ ଭାଇରସ୍ ଦୃତବେଗରେ ଉପରମୁହାଁ ହେଉଛି। ଆଉ ଏହି ଭାଇରସ୍ କରୋନା ଠାରୁ ବି ବହୁତ ବିପଦଜନକ ବୋଲି ଋଷ ଦେଶ ପକ୍ଷରୁ କୁହାଯାଇଛି। ତେବେ ଏହି ଭାଇରସ୍ ର ନାମ ” ୱେଷ୍ଟ ନାଇଲ୍ “। ଋଷ ୱେଷ୍ଟ ନାଇଲ୍ (WNV) ସଂକ୍ରମଣରେ ସମ୍ଭାବ୍ୟ ବୃଦ୍ଧିକୁ ନେଇ ଚେତାବନୀ ଜାରି କରିଛି। କମ ତାପମାନ ଓ ଭୀଷଣ ବର୍ଷା ଏହି ଭାଇରସ ବିସ୍ତାର କରୁଥିବା ମଶାଙ୍କ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ ବୋଲି ଋଷ ପକ୍ଷରୁ କୁହାଯାଇଛି।
“ୱେଷ୍ଟ ନାଇଲ୍” ଭାଇରସ ଆଫ୍ରିକାରେ ସୃଷ୍ଟି ହୋଇଛି। ତେବେ ବର୍ତ୍ତମାନ ଏହି ଭାଇରସ୍ ଏସିଆ, ୟୁରୋପ ଓ ଉତ୍ତର ଆମେରିକାରେ ବ୍ୟାପିଛି। ଏହା ମୁଖ୍ୟତଃ ମଶା କାମୁଡ଼ିଲେ ବ୍ୟାପିଥାଏ। ଏହି ମଶା କାମୁଡ଼ିଲେ ଘାତକ ସ୍ନାୟୁଗତ ରୋଗ ହେବାର ସମ୍ଭାବନା ଥାଏ। ୱେଷ୍ଟ ନାଇଲ ଜ୍ୱରର ୮୦ ପ୍ରତିଶତରୁ ଅଧିକ ମାମଲା ଋଷର ଦକ୍ଷିଣ-ପଶ୍ଚିମ କ୍ଷେତ୍ରରେ ରେକର୍ଡ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ମନୁଷ୍ୟଙ୍କ ପାଇଁ ଏହି ଭାଇରସ ବିରୋଧରେ କୌଣସି ଟୀକା ଉପଲବ୍ଧ ନାହିଁ। ତେବେ ଘୋଡାଙ୍କ ପାଇଁ ଏହି ଭାଇରସର ଗୋଟିଏ ଟୀକା ଉପଲବ୍ଧ।
ୱେଷ୍ଟ ନାଇଲ୍ ଭାଇରସ ଏକ ସଂକ୍ରାମକ ରୋଗ ଯାହା ମଶା ଦ୍ୱାରା ବ୍ୟାପିଥାଏ। ଏକ ସଂକ୍ରମିତ କ୍ୟୁଲେକ୍ସ ମଶା କାମୁଡ଼ିବାରୁ ପକ୍ଷୀ ଓ ମନୁଷ୍ୟ ମଧ୍ୟରେ ବ୍ୟାପିଥାଏ। ମନୁଷ୍ୟଙ୍କ ମଧ୍ୟରେ ଘାତକ ସ୍ନାୟୁଗତ ରୋଗ ସୃଷ୍ଟି କରିଥାଏ। ଏହି ଭାଇରସ ଡେଙ୍ଗୁ, ଜିକା ଓ ଜଣ୍ଡିସ ସହ ସମ୍ବନ୍ଧିତ। ଏହି ଭାଇରସ ଆଟାକ କଲେ ମୁଣ୍ଡବିନ୍ଧା, ଜ୍ୱର, ତ୍ୱଚାରେ ନାଲି ଦାଗ ପଡିଯିବା, ଶରୀର ପୀଡା ଆଦି ଲକ୍ଷଣ ଦେଖାଦେଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଏହି ଭାଇରସ ପ୍ରଥମେ ୧୯୩୭ ମସିହାରେ ଉଗାଣ୍ଡାର ୱେଷ୍ଟ ନାଇଲ ଜିଲ୍ଲାରେ ଜଣେ ମହିଳାଙ୍କ ମଧ୍ୟରେ ଚିହ୍ନଟ ହୋଇଥିଲା। ୧୯୫୩ରେ ନିଲ ଡେଲଟା ଅଞ୍ଚଳରେ କାଉ ଓ ପାରା ମଧ୍ୟରେ ଏହା ଚିହ୍ନଟ ହୋଇଥିଲା।
ତେବେ ଏହି ଭାଇରସ୍ ଯଦି ସମଗ୍ର ବିଶ୍ୱରେ ବ୍ୟାପେ, ତେବେ ପରିସ୍ଥିତି କରୋନା ଭାଇରସ୍ ଠାରୁ ବି ଅଧିକ ବିପଦଜନକ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।