ସମଗ୍ର ବିଶ୍ୱରେ ଏମିତି ଘଟଣା ଘଟେ ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ । ସେହିପରି ଏକ ଅନନ୍ୟ ଘଟଣା ଘଟିଛି ଆମେରିକାର ଆଟଲାଣ୍ଟାଠାରେ । ଏଠାରେ ଜଣେ gମହିଳା ନିଜକୁ ବିବାହ କରିଛନ୍ତି । ଆଜ୍ଞା ହଁ, ଠିକ୍ ଶୁଣିଲେ । ଆମେରିକାର ଆଟଲାଣ୍ଟାରେ ରହୁଥିବା ମେଗ୍ ସେହି ମହିଳା ଯିଏ ନିଜ ସହିତ ନିଜେ ବିବାହ କରିଛନ୍ତି ଏବଂ ଚର୍ଚ୍ଚା ବିଷୟ ପାଲଟିଛନ୍ତି । କେବଳ ନିଜ ସହିତ ନିଜର ବିବାହ ନିଷ୍ପତ୍ତି ନେଇନଥିଲେ ମହିଳା ଜଣକ ବରଂ ବିବାହ ସମାରୋହର ସମସ୍ତ ବ୍ୟବସ୍ଥା ମଧ୍ୟ ଏକୁଟିଆ ନିଜେ ହିଁ କରିଥିଲେ ।
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ । ନିଜ ବିବାହ ସମାରୋହରେ ସେ ୧୦୦୦ ୟୁରୋ (୧.୦୨ ଲକ୍ଷ ଟଙ୍କା) ଖର୍ଚ୍ଚ କରିଛନ୍ତି ବୋଲି ଜଣାପଡ଼ିଛି । ମିଳିଥିବା ଖବର ଅନୁଯାୟୀ, ପ୍ରଥମେ ସେ ତାଙ୍କର ବୟଫ୍ରେଣ୍ଡ ହେଲେବିନ୍ ସହିତ ୨୦୨୦ରେ ବିବାହ କରିଥାନ୍ତେ । କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ସେ ନିଜର ନିଷ୍ପତ୍ତି ବଦଳାଇ ଦେଲେ ଏବଂ ନିଜକୁ ବାହା ହେଲେ । ୩୫ ବର୍ଷୀୟ ମେଗ୍ ଶେଷରେ ନିଜକୁ ବିବାହ କଲେ ଯେଉଁଥିରେ ତାଙ୍କ ସାଙସାଥୀ ଏବଂ ପରିବାର ସଦସ୍ୟ ମାନେ ମଧ୍ୟ ନିମନ୍ତ୍ରିତ ଥିଲେ ।

କେବଳ ଏତିକି ନୁହେଁ ମେଗ୍ ତାଙ୍କ ବିବାହରେ ଏକ ମୁଦି ପିନ୍ଧିଥିଲେ ଏବଂ କେକ୍ ମଧ୍ୟ କାଟିଥିଲେ । ଏହି ସମୟ ମଧ୍ୟରେ ସେ ତାଙ୍କ ସମ୍ମୁଖରେ ଏକ ଦର୍ପଣ ରଖିଲେ, ନିଜକୁ ଏଥିରେ ଦେଖିଲେ ଏବଂ ନିଜକୁ ମୁଦି ପିନ୍ଧାଇଲେ । ଏହାପରେ ମେଗ୍ ନିଜକୁ ଚୁମ୍ବନ ବି ଦେଲେ । ଏନେଇ ମେଗ୍ କୁହନ୍ତି, ନିଜକୁ ବିବାହ କରିବା ଅର୍ଥାତ୍ ଲୋକଙ୍କ ଚିନ୍ତାଧାରାଠାରୁ ପାଦେ ଆଗେଇ ଯିବା । ସେମାନଙ୍କୁ ଏଇଆ କହିବାକୁ ଚାହେଁ ଯେ ଜିନିଷକୁ ଅନ୍ୟ ଦୃଷ୍ଟିକୋଣରେ ବି ଦେଖି ହେବ । ମୁଁ କେବଳ ମୋର ଖୁସି ବିଷୟରେ ଚିନ୍ତା କରୁଛି ।