ଯୁକ୍ତରାଷ୍ଟ୍ର ଆମେରିକାରେ ମାସାଚୁସେଟ୍ସର ଜଣେ ମହିଳା ମେଲିସା ସର୍ଜକଫ୍ ମାର୍ଚ୍ଚ ୮ ତାରିଖ ଦିନ ଅଚାନକ ପେଟରେ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରିଥିଲେ । ସେତେଦିନ ଯାଏଁ ସେ ସ୍ଵାଭାବିକ ଥିଲେ । ପ୍ରଥମେ, ତାଙ୍କ ସ୍ଵାମୀ ଡ୍ୟାନି କ୍ୟାମ୍ପବେଲ ଭାବିଥିଲେ ସେ ହୁଏତ କିଡ଼ନୀ ପଥର ବାହାର କରିବା ଦେଇ ଗତି କରୁଛନ୍ତି ତେଣୁ ସାହାଯ୍ୟ ପାଇଁ ୯୧୧ କୁ ଫୋନ କରିଛନ୍ତି । କିନ୍ତୁ ତାହା କିଡ଼ନୀ ପଥର ନଥିଲା କିମ୍ବା ଏକ ସ୍ଵାଭାବିକ ପେଟ ଯନ୍ତ୍ରଣା ବି ନଥିଲା । ମେଲିସା କହିଛନ୍ତି ଯେ ତାଙ୍କୁ ପାଇଖାନା ସିଟରେ ବସେଇଲେ କେବଳ ଆରାମ ମିଳେ । କିଛି ସମୟ ପରେ, ସେ ଆଉ ବସି ପାରିଲେ ନାହିଁ ଏବଂ ଯନ୍ତ୍ରଣାରେ ଜୋରରେ ଚିତ୍କାର କରିବାକୁ ଲାଗିଲେ ।
ସେହି ସମୟରେ, ସେ ଅନୁଭବ କଲେ ଯେ ତାଙ୍କ ଭିତରୁ କିଛି ବାହାରି ଆସିଲା । ମେଲିସା କହିଛନ୍ତି ଯେ ମୁଁ ଶୌଚାଳୟକୁ ଦେଖିଲି ଏବଂ ତଥାପି ମୁଁ ଜାଣି ପାରୁନଥିଲି ତାହା କ’ଣ ଥିଲା । ମୋତେ ଲାଗିଲା ମୋର କିଛି ଗୋଟେ ଅଙ୍ଗ ବାହାରିପଡ଼ିଲା, କାରଣ ମୋତେ ଜଣା ହିଁ ନଥିଲା ଯେ ମୁଁ ଗର୍ଭବତୀ ଥିଲି ଏବଂ ଏକ ଶିଶୁକୁ ଜନ୍ମ ଦେଲି ।
NBC Boston କୁ ଏକ ସାକ୍ଷାତକାର ଦେଇ ଏହି ଦମ୍ପତ୍ତି ଆଶ୍ଚର୍ଯ୍ୟଜନକ ଭାବେ ପିତାମାତା ହେବାର ନିଜ ଅଭିଜ୍ଞତା ବାଣ୍ଟିଥିଲେ । ସ୍ଵାମୀ କ୍ୟାମ୍ପବେଲ କହିଛନ୍ତି ଯେ ଆମେ ଏକ ପ୍ରକାର ଚକିତ ହୋଇଥିଲୁ ଏବଂ ଏହା ଆଶା କରୁ ନଥିଲୁ । କିନ୍ତୁ ହଠାତ୍ ଶୌଚଳୟରେ ଏକ ଶିଶୁ ଆସିଥିଲା । ମେଲିସା ବି କିଛି ବୁଝିପାରୁ ନଥିଲେ କାରଣ ସେ ଗର୍ଭବତୀ ଥିବା ନେଇ ତାଙ୍କୁ କୌଣସି ସୂଚନା ନଥିଲା । ତା’ର ନଅ ମାସର ଅବଧି ଅଦୃଶ୍ୟ ହୋଇଗଲା କାରଣ ତାଙ୍କ ପେଟ ବଢିଥିବା ବି ଦୃଶ୍ୟମାନ ହେଉନଥିଲା ।
ତେବେ କୌଣସି ପ୍ରସବ ଯତ୍ନ ନଥାଇ ମଧ୍ୟ ନବଜାତ ଶିଶୁଟି ସୁସ୍ଥ ଥିଲା ଏବଂ ଡିସଚାର୍ଜ ହେବା ପୂର୍ବରୁ ତାଙ୍କୁ ଡାକ୍ତରଖାନାରେ ମାତ୍ର ଗୋଟିଏ ରାତି ବିତାଇବାକୁ ପଡ଼ିଥିଲା । ମେଲିସା NBC Boston କୁ କହିଛନ୍ତି ଯେ ଆମକୁ ଲାଗିଲା ଏହା ଔଷଧ ପରିବର୍ତ୍ତନର ଲକ୍ଷଣ । ସୂଚନା ଥାଉ ଯେ ମେଲିସା ଏକମାତ୍ର ମା’ ନୁହଁନ୍ତି ଯିଏ ନିଜ ଗର୍ଭଧାରଣ ବିଷୟରେ ଜାଣି ନଥିଲେ । ଗତ ବର୍ଷ ବ୍ରାଜିଲର ଜଣେ ୨୦ ବର୍ଷୀୟା ମହିଳା ବାଥରୁମ ଭିତରେ ଏକାକୀ ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ସାହାଯ୍ୟ ପ୍ରଦାନ କରିବାକୁ କେହି ନଥିଲେ କାରଣ ଆଲମାଇଡା ଜାଣି ନଥିଲେ ଯେ ସେ ଗର୍ଭବତୀ ଅଟନ୍ତି ।
ଅନ୍ୟ ଏକ ମାମଲାରେ, ୱେଷ୍ଟ ସକଶେଷର ଜଣେ ୩୨ ବର୍ଷୀୟା ମହିଳା, ଯିଏ ଜାଣି ନଥିଲେ ଯେ ସେ ୩୭ ସପ୍ତାହ ଗର୍ଭବତୀ ଥିଲେ । ଯେହେତୁ ତାଙ୍କର କୌଣସି ଦୃଶ୍ୟମାନ ବଢିଲା ପେଟ ନଥିଲା ଏବଂ ସେ ଗର୍ଭନିରୋଧକ ବଟିକାକୁ ଖାଉଥିଲେ ଏବଂ ତାଙ୍କର ପିରିୟଡ୍ ମଧ୍ୟ ଚାଲିଥିଲା ।