ବସ୍ତି : ବନ୍ଧୁତା ସମ୍ପର୍କ ଭିତରେ ଶ୍ରେଷ୍ଠ । ଏ କରୋନା ମହାମରୀ ବିପତ୍ତି ଭିତରେ ଏ ଘଟଣା ପାଲଟିଛି ଏକ ନିଆରା ବନ୍ଧୁତାର ଉଦାହରଣ । ଲକଡାଉନ ମଧ୍ୟରେ ଲୋକମାନେ ସମସ୍ତେ ନିଜ ନିଜ ଘରେ ପହଞ୍ଚିବା ପାଇଁ ଚଳାଇଛନ୍ତି ପ୍ରାଣପଣେ ଉଦ୍ୟମ ଯେଉଁଥିପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦେଖିବାକୁ ମିଳୁଛି ଭିଡ଼ । ଏପରି ପରିସ୍ଥିତିରେ ବନ୍ଧୁତ୍ୱର ଉଚିତ୍ ପରିଚୟ ଦେଇ ମୃତ୍ୟୁ ପର୍ଯ୍ୟନ୍ତ ନିଜ ବନ୍ଧୁଙ୍କୁ ଛାଡି ନାହାନ୍ତି ୟାକୁବ ।
କରୋନା ସନ୍ଦିଗ୍ଧ ୨୪ ବର୍ଷୀୟ ଅମୃତ ଗୁଜୁରାଟର ସୁରତରୁ ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାକୁ ଫେରୁଥିଲେ । ନିଜ ଘରକୁ ଫେରିବାର ମାଧ୍ୟମ ଥିଲା ଟ୍ରକ ଯେଉଁଥିରେ ଆହୁରି ଅନେକ ଲୋକ ବି ଯାତ୍ରା କରୁଥିଲେ । ଟ୍ରକ ଯେତେବେଳେ ମଧ୍ୟପ୍ରଦେଶର ଶିବପୁରୀ-ଝାନ୍ସି ଫୋର ଲେନ ଅତିକ୍ରମ କଲା ଅମୃତଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାକୁ ଲାଗିଲା । ଟ୍ରକରେ ଥିବା ଲୋକେ ଏହା ଦେଖି ଅମୃତ କରୋନା ଆକ୍ରାନ୍ତ ଅନୁଭବ କରି ଭୟରେ ତାକୁ ଟ୍ରକରୁ ଓହ୍ଲାଇ ଦେବାକୁ ନିଷ୍ପତ୍ତି ନେଲେ ।
ଅମୃତଙ୍କ ସହିତ କିନ୍ତୁ ବନ୍ଧୁ ୟାକୁବ ମହମ୍ମଦ ମଧ୍ୟ ଟ୍ରକରୁ ଓହ୍ଲାଇଥିଲେ । ଅମୃତଙ୍କ ସ୍ୱାସ୍ଥ୍ୟବସ୍ଥା କ୍ରମାଗତ ଖରାପ ହେବାକୁ ଲାଗିଲାରୁ ୟାକୁବ ତା ମୁଣ୍ଡକୁ ନିଜ କୋଳରେ ରଖି ସାହାଯ୍ୟକୁ ଅପେକ୍ଷା କଲେ । ଅମୃତ ସୁସ୍ଥ ହେଇଯାଉ ବୋଲି ସେ ପ୍ରାର୍ଥନା ମଧ୍ୟ ଜାରି ରଖିଥିଲେ ଓ ଅମୃତଙ୍କୁ କ୍ରମାଗତ ଭାବରେ କହିଥଲେ ଯେ ଆମ୍ବୁଲାନ୍ସ କିଛି ସମୟ ଭିତରେ ଆସି ପହଞ୍ଚିବ, ତମେ ସୁସ୍ଥ ହୋଇ ନିଜ ଗାଁକୁ ଫେରିବ । କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିବାବେଳକୁ ବହୁତ ଡେରି ହୋଇଯାଇଥିଲା । ଅମୃତ ସେତେବେଳକୁ ଆଖି ବୁଜି ସାରିଥିଲେ ।
ତଥାପି ଅମୃତ ଭାଗ୍ୟବାନ ଯେ ଜୀବନର ଶେଷ ମୁହୂର୍ତ୍ତରେ ତାଙ୍କୁ ବନ୍ଧୁର କୋଳ ମିଳିଲା । ୟାକୁବଙ୍କ କହିବାନୁଯାୟୀ ଦୁହେଁ ସୁରତର ଏକ ସୂତାକଳରେ କାମ କରୁଥିଲେ । ଲକଡାଉନ ଯୋଗୁ ଟ୍ରକରେ ୪ ହଜାର ଲେଖାଏଁ ଭଡ଼ା ଦେଇ ନାସିକ, ଇନ୍ଦୋର ଦେଇ କାନପୁର ଯାଉଥିଲେ । ଯାତ୍ରା ସମୟରେ ଅମୃତଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଗଲା । ଅମୃତ ଜ୍ୱରରେ କମ୍ପିଲା । ଟ୍ରକରେ ବସିଥିବା ପ୍ରାୟ ୬୦ ଲୋକ ଅମୃତକୁ ଓହ୍ଲାଇଦେଲେ । ଏହି ସମୟରେ ଅମୃତର ଯତ୍ନ ନେବାକୁ ନିଜେ ସେ ମଧ୍ୟ ଟ୍ରକରୁ ଓହ୍ଲାଇଥିଲେ ।
ମଧ୍ୟପ୍ରଦେଶର ଶିବପୁରୀ ଏବଂ ଉତ୍ତରପ୍ରଦେଶର ଝାନ୍ସି ଜିଲ୍ଲା ପ୍ରଶାସନ ଅମୃତଙ୍କ ମୃତଦେହକୁ ବସ୍ତିର ଲାଲଗଞ୍ଜ ଥାନା ଅନ୍ତର୍ଗତ ଦେଓରୀ ଗ୍ରାମରେ ତାଙ୍କ ପରିବାର ନିକଟକୁ ପଠାଇଦେଇଥିଲେ । ସେଠାରେ ତାଙ୍କ ଶବଦାହ କରାଗଲା । ଅମୃତଙ୍କ ପିତା ରାମଚରନ୍ ଏବଂ ମାତା ଶୋଭାଦେବୀ ଚେତାଶୂନ୍ୟ ହୋଇଥିଲାବେଳେ ୟାକୁବଙ୍କ ପିତା ୟୁନୁସ ଏବଂ ମାତା ନାସିବୁନିଶା ପୁଅକୁ ଦେଖିବା ପରେ ଖୁବ କାନ୍ଦିଥିଲେ ।