ନୂଆଦିଲ୍ଲୀ : ସାରା ଦେଶରେ ଲକଡାଉନ ଚାଲିଥିଲାବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାପା ଆନନ୍ଦ ସିଂହ ବିଷ୍ଟ (୮୯)ଙ୍କ ଦେହାନ୍ତ ହୋଇଯାଇଛି । ସେ ଗତ ମାସରୁ ଯକୃତ ଏବଂ ବୃକ୍କ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ଦିଲ୍ଲୀ AIIMS ରେ ଭର୍ତ୍ତି ହୋଇଥିଲେ । ହେଲେ ଅପ୍ରେଲ ୨୦ ତାରଖ ସୋମବାର ଦିନ ୧୦ଟା ୪୪ ମିନିଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ଦେହାନ୍ତ ହେବାର କିଛି ଘଣ୍ଟା ପରେ ଆଦିତ୍ୟନାଥ ଘୋଷଣା କରିଛନ୍ତି ଯେ ଆସନ୍ତାକାଲି ହେବାକୁ ଥିବା ଶେଷ ରୀତିନୀତିରେ ସେ ଅଂଶଗ୍ରହଣ କରିପାରିବେ ନାହିଁ । ରାଜ୍ୟବାସୀ କରୋନା ବିରୋଧରେ ଲଢ଼େଇ କରୁଥିବାରୁ ସେମାନଙ୍କୁ ସହଯୋଗ କରିବା ଓ ଲକଡାଉନ ନିୟମକୁ ପାଳନ କରିବା ପାଇଁ ଯୋଗୀ ବାପାଙ୍କ ଶେଷ କାମରେ ଯୋଗଦେଇ ପାରିବେ ନାହିଁ ବୋଲି କହିଛନ୍ତି ।

ଯୋଗୀ ଆଦିତ୍ୟନାଥ କହିବାନୁଯାୟୀ ବାପାଙ୍କ ଦେହାନ୍ତ ଖବର ପାଇ ସେ ଅତ୍ୟନ୍ତ ଦୁଃଖିତ । ବାପା ତାଙ୍କୁ ସବୁବେଳେ ବିଶ୍ୱସ୍ତ, କଠିନ ପରିଶ୍ରମୀ ଓ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିବାକୁ ପ୍ରେରଣା ଦେଉଥିଲେ । ଶେଷ ସମୟରେ ସେ ବାପାଙ୍କ ସହ ରହିବାକୁ ଚାହୁଁଥିଲେ ସତ ମାତ୍ର ଉତ୍ତର ପ୍ରଦେଶର ୨୩ କୋଟି ଜନତାଙ୍କ ଦାୟିତ୍ୱ ତାଙ୍କ କାନ୍ଧରେ । ତେଣୁ ସେ ବାପାଙ୍କ ପାଖରେ ଉପସ୍ଥିତ ରହିପାରିଲେ ନାହିଁ । ତା’ଛଡ଼ା କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ଲକଡାଉନ ହୋଇଛି । ଏହି କାରଣରୁ ସେ ତାଙ୍କ ବାପାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେ ନାହିଁ । ଏହାଛଡ଼ା ପରିବାର ସଦସ୍ୟଙ୍କୁ ଲକଡାଉନ୍ ପ୍ରୋଟୋକଲ୍ ଅନୁସରଣ କରିବାକୁ ଏବଂ ଅନ୍ତିମ ସଂସ୍କାର ସମୟରେ ସର୍ବନିମ୍ନ ସମାବେଶ ନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଦିଲ୍ଲୀରୁ ଆନନ୍ଦଙ୍କ ମରଶରୀର ଉତ୍ତରାଖଣ୍ଡର ପାଉରିକୁ ନିଆଯିବ । ଆଜି ଯୋଗୀ ଆଦିତ୍ୟନାଥ କରୋନା ସମ୍ପର୍କରେ ସମୀକ୍ଷା କରୁଥିବାବେଳେ ବାପାଙ୍କ ଦେହାନ୍ତ ଖବର ପାଇଥିଲେ । ସ୍ମୃତି ଇରାନୀଙ୍କ ଠାରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅଖିଳେଶ ଯାଦବଙ୍କ ପର୍ଯ୍ୟନ୍ତ ଆନନ୍ଦ ସିଂହ ବିଷ୍ଟଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।