ୟୁକ୍ରେନ ପ୍ରସଙ୍ଗରେ ଶାନ୍ତି କଥାବାର୍ତ୍ତାର ମାର୍ଗ ସହଜ ନୁହେଁ : ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ

ସଂସ୍କାର : ୟୁକ୍ରେନ ପ୍ରସଙ୍ଗରେ ଶାନ୍ତି କଥାବାର୍ତ୍ତାର ମାର୍ଗ ସହଜ ନୁହେଁ । ଯୁଦ୍ଧ ପ୍ରସଙ୍ଗରେ ଚୀନ ନିଜର ଆଭିମୁଖ୍ୟ ଓ ଉଚିତ ଦୃଷ୍ଟିଭଙ୍ଗୀ ବଜାୟ ରଖିବ ବୋଲି କହିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ବେଳେ ଜିନପିଙ୍ଗ କହିଛନ୍ତି- ବିଭିନ୍ନ ଆନ୍ତର୍ଜାତିକ ବ୍ୟାପାର ପ୍ରସଙ୍ଗରେ ମସ୍କୋ ଓ ବେଜିଂ ମିଳିତ ଭାବେ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ।

ୟୁକ୍ରେନ ପ୍ରସଙ୍ଗରେ ଆଲୋଚନାମୂଳକ କଥାବାର୍ତ୍ତା ଲାଗି ଚୀନ ଆଗ୍ରହୀ ଥିବା ନେଇ ସୂଚନା ଦେଇଥିଲେ ଜିନପିଙ୍ଗ । ସେହିପରି ୟୁକ୍ରେନ ପ୍ରସଙ୍ଗରେ ଭୂମିକା ନିର୍ବାହ ଲାଗି ଚୀନ କେବେ ଅଗ୍ରାହ୍ୟ ପ୍ରକାଶ କରିନାହିଁ ବୋଲି ଜିନପିଙ୍ଗ କହିଥିଲେ। ଗତ ଫେବ୍ରୁଆରୀ ୨୪ରେ ଯୁଦ୍ଧ ଆରମ୍ଭ ପରଠାରୁ ଚୀନ କେବେ ବି କାହାର ପକ୍ଷ ନେବାକୁ ଚାହିଁ ନଥିବାବେଳେ ଯୁଦ୍ଧର ଅନ୍ତ କ୍ଷେତ୍ରରେ ପ୍ରମୁଖ ଭୂମିକା ନେବା ଆଶା କରାଯାଉଛି।

ତେଣେ ଦ୍ବିପାକ୍ଷିକ ସମ୍ପର୍କ ମଜଭୁତ କରିବା ଲାଗି ମସ୍କୋ ଗସ୍ତରେ ଆସିବା ଲାଗି ଜିନପିଙ୍ଗଙ୍କୁ ଆହ୍ବାନ ଦେଇଛନ୍ତି ପୁଟିନ। ଭର୍ଚୁଆଲରେ ଆଲୋଚନା କାଳରେ ଜିନପିଙ୍ଗଙ୍କୁ ପ୍ରିୟ ବନ୍ଧୁ ବୋଲି ସମ୍ବୋଧନ କରିଥିଲେ ପୁଟିନ । ଚୀନ ସହ ସାମରିକ ସ୍ତରରେ ସହଯୋଗ ବୃଦ୍ଧି ଲାଗି ମଧ୍ୟ ସୂଚନା ଦେଇଥିଲେ ପୁଟିନ । ସେହିପରି କୌଶଳଗତ ସହଯୋଗ କ୍ଷେତ୍ରରେ ଋଷର ସହଯୋଗ ନେଇ ଆଶା ରଖିଥିଲେ ଜିନପିଙ୍ଗ । ୟୁକ୍ରେନ ପ୍ରସଙ୍ଗରେ ଚୀନ ମୁହଁ ଖୋଲି ନଥିବାବେଳେ ତାଇଓ୍ବାନ ପ୍ରସଙ୍ଗରେ ଚୀନକୁ ପୂର୍ଣ୍ଣ ସମର୍ଥନ ଜଣାଇଆସୁଛି ଋଷ ।

Leave a Reply

Your email address will not be published. Required fields are marked *