ଇଡ଼ି ସମନକୁ ଅଣଦେଖା କରି ବୁଲିବାକୁ ପଳେଇଲେ କେଜ୍ରିୱାଲ୍, ହୋଇପାରନ୍ତି ଏବେ ଗିରଫ

ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜ୍ଞା ହଁ, ଇଡ଼ି ସମନକୁ ଏଡାଇ କେଜ୍ରିୱାଲ କିଛିଦିନ ତଳେ ମଧ୍ୟପ୍ରଦେଶ ଠାରେ ନିର୍ବାଚନ ପ୍ରଚାର ରୋଡସୋ’ରେ ଭାଗ ନେଇଥିଲେ। ନିର୍ବାଚନ ଫଳାଫଳ ଘୋଷଣା ହେବା ସମୟରେ ସେ ହୁଏତ ଜେଲରେ ଥାଇ ପାରନ୍ତି ବୋଲି କେଜ୍ରିୱାଲ ନିଜେ କହିଛନ୍ତି।

ଏଥିନେଇ ସେ ନିଶ୍ଚିତ ନାହାଁନ୍ତି। କିନ୍ତୁ, ସବୁଠାରୁ ବଡ଼ କଥା ହେଉଛି ଯେ ସେ ଜେଲ୍ ଯିବାକୁ ଡରୁନାହାନ୍ତି ବୋଲି କହିଛନ୍ତି କେଜ୍ରିୱାଲ। ଦିଲ୍ଲୀରେ ପ୍ରତିଦିନ ତାଙ୍କୁ ଗିରଫ ଧମକ ମିଳୁଛି। କିନ୍ତୁ, ଦିଲ୍ଲୀ ଓ ପଞ୍ଜାବର ଲୋକମାନେ ଯେମିତି ଚମତ୍କାର କରି ଦେଖାଇଲେ, ମଧ୍ୟପ୍ରଦେଶର ଲୋକମାନେ ମଧ୍ୟ ଆଗାମୀ ଦିନରେ ଠିକ୍‌ ସେମିତି ଚମତ୍କାର ଦେଖାଇବେ ବୋଲି ସେ ଆଶା ବାନ୍ଧିଛନ୍ତି।

ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହିତ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ସରକାର କେଜ୍ରିୱାଲଙ୍କ ଶରୀରକୁ ଗିରଫ କରି ଜେଲର ଚାରିକାନ୍ଥ ମଧ୍ୟରେ ରଖିପାରିବେ। କିନ୍ତୁ, ତାଙ୍କର ଚିନ୍ତାଧାରାକୁ ନୁହେଁ। ହଜ଼ାର ହଜ଼ାର ଲକ୍ଷ ଲକ୍ଷ କେଜ୍ରିୱାଲ ଚିନ୍ତାଧାରା ଥିବା ଲୋକଙ୍କୁ ସରକାର କିପରି ଗିରଫ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

କେବଳ ସେତିକି ନୁହେଁ ବରଂ ୧୦ ବର୍ଷ ଧରି କେନ୍ଦ୍ର ସରକାର କି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି ସେଥିନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କେଜ୍ରିୱାଲ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ହାଜର ହେବାକୁ ତାଙ୍କୁ ଇଡ଼ି ସମନ କରିଥିଲା। କିନ୍ତୁ, କେଜ୍ରିୱାଲ ଏହାକୁ ବେଖାତିର କରି ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାରରେ ଯୋଗ ଦେଇଥିଲେ।

ଇଡି ସମନକୁ ଏଡ଼ାଇବା ସହିତ ଏକ ଚିଠି ଲେଖି ‌କେଜ୍ରିୱାଲ କହିଛନ୍ତି, ତାଙ୍କୁ କରାଯାଇଥିବା ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ବିଜେପି ଅନୁରୋଧରେ ଏହି ସମନ ପଠାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜଣେ ବ୍ୟକ୍ତି ସର୍ବାଧିକ ୩ ଥର ଇଡ଼ି ସମନକୁ ଏଡାଇ ପାରିବେ। ଏହାପରେ ଇଡି ଏକ ଜାମିନ ବିହୀନ ୱାରେଣ୍ଟ୍‌ ଜାରି କରିପାରିବେ।